ନୂଆଦିଲ୍ଲୀ: ନେପାଳର ପୁନଃନିର୍ମାଣ ଏବଂ ଦୀର୍ଘକାଳୀନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନେପାଳୀ ମୁଦ୍ରାରେ ୨୪,୦୦୦ କୋଟି ଟଙ୍କାର ବିକାଶ ସହଯୋଗ ପ୍ୟାକେଜ୍ ଘୋଷଣା କରିଛନ୍ତି। ନୂଆଦିଲ୍ଲୀରେ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପରେ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୋଦୀ ଏହି ବଡ଼ ଘୋଷଣା କରିଛନ୍ତି। ଏଥିସହ ଗତ ଅଗଷ୍ଟ ମାସରେ ନେପାଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ସେ ଗଭୀର ସମବେଦନା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବନ୍ୟା ପ୍ରଭାବିତ ପରିବାରଗୁଡ଼ିକର ଜୀବନଯାତ୍ରା ଯେପରି ପୁଣି ଥରେ ସ୍ୱାଭାବିକ ହେବ, ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଭବିଷ୍ୟତରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ନେପାଳର କ୍ଷମତା ଆହୁରି ସୁଦୃଢ଼ ହେବ, ତାହା ହିଁ ଭାରତର ସଂକଳ୍ପ। ନେପାଳକୁ ଏକ ଶକ୍ତିଶାଳୀ ଓ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବା ଯାତ୍ରାରେ ଭାରତ ସର୍ବଦା ଏକ ବିଶ୍ୱସ୍ତ ସହଯୋଗୀ ହୋଇ ରହିଛି ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଶିଖରକୁ ନେବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କ କେବଳ ପଡ଼ୋଶୀ ରାଷ୍ଟ୍ରର ନୁହେଁ, ବରଂ ଏହା ଆତ୍ମୀୟତା ଏବଂ ଅତୁଟ ବିଶ୍ୱାସର ସମ୍ପର୍କ ବୋଲି ମୋଦୀ ଉଲ୍ଲେଖ କରିଛନ୍ତି।
ନିଜର ପ୍ରଥମ ଦ୍ୱିପାକ୍ଷିକ ଭାରତ ଗସ୍ତରେ ଆସିଥିବା ବାଲେନ୍ଦ୍ର ଶାହଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଦୂରଦୃଷ୍ଟିର ପ୍ରଶଂସା କରିଛନ୍ତି। ମୋଦୀ କହିଛନ୍ତି ଯେ, ବିଶ୍ୱର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ବାଲେନ୍ଦ୍ର ଶାହ ଜାତିସଂଘରେ ଉଦ୍ବୋଧନ ଦେବା ବେଳେ ତାଙ୍କ ଦୀର୍ଘକାଳୀନ ଲକ୍ଷ୍ୟର ଝଲକ ମିଳିଥିଲା। ଚଳିତ ବର୍ଷ ନେପାଳବାସୀ ଦେଇଥିବା ଐତିହାସିକ ଜନାଦେଶ ସେଠାକାର ନୂଆ ପିଢ଼ିର ଆଶା ଓ ଆକାଂକ୍ଷାକୁ ପ୍ରତିଫଳିତ କରୁଛି।
ଭାରତ ଓ ନେପାଳ ମଧ୍ୟରେ ଥିବା ସାଂସ୍କୃତିକ ଓ ଆଧ୍ୟାତ୍ମିକ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ଭଗବାନ ଶ୍ରୀରାମ ଏବଂ ମାତା ସୀତାଙ୍କୁ ଦୁଇ ଦେଶର ସାଧାରଣ ସଭ୍ୟତା ଓ ଆସ୍ଥାର ପ୍ରତୀକ ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ୨୦୨୪ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ କୋଟି କୋଟି ଶ୍ରଦ୍ଧାଳୁ ଅଯୋଧ୍ୟା ଆସୁଛନ୍ତି ଏବଂ କେବଳ ୨୦୨୫ରେ ପ୍ରାୟ ୩୦ କୋଟି ଭକ୍ତ ଅଯୋଧ୍ୟା ଦର୍ଶନ କରିଛନ୍ତି। ଏହି ପବିତ୍ର ସମ୍ପର୍କକୁ ଏକ ନୂଆ ଦିଗ ଦେଇ ଆଜି ‘ସରୟୂ-କମଳା ଏକ୍ସପ୍ରେସ୍’ ଟ୍ରେନ୍ ସେବାର ଶୁଭାରମ୍ଭ କରାଯାଇଛି, ଯାହା ଅଯୋଧ୍ୟା ଆସୁଥିବା ଶ୍ରଦ୍ଧାଳୁଙ୍କୁ ସହଜରେ ନେପାଳର ଜନକପୁର ଯାଇ ମାତା ସୀତାଙ୍କ ଆଶୀର୍ବାଦ ନେବାରେ ସହାୟକ ହେବ।




