ନୂଆଦିଲ୍ଲୀ: Narendra Modi ଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦେଶବାସୀଙ୍କୁ ପେଟ୍ରୋଲ ଓ ଡିଜେଲ୍ ବ୍ୟବହାର କମ କରିବାକୁ ଅପିଲ୍ କରିଛନ୍ତି। ଭଦୋଦରାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ବିଶ୍ୱ ଅର୍ଥନୀତି ପାଇଁ ଗମ୍ଭୀର ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେବେ କରୋନା ମହାମାରୀ ପରି ଏହି ସଙ୍କଟକୁ ମଧ୍ୟ ଭାରତ ସଫଳତାର ସହ ସାମ୍ନା କରିବ ବୋଲି ସେ ବିଶ୍ୱାସ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତକୁ ବିଶ୍ୱ ଯୋଗାଣ ଶୃଙ୍ଖଳର ଏକ ମୁଖ୍ୟ ଅଂଶ କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର କାମ କରୁଛନ୍ତି। ଯେତେବେଳେ ଦେଶ ଯୁଦ୍ଧ କିମ୍ବା ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି, ସେତେବେଳେ ସାଧାରଣ ଲୋକ ସରକାରଙ୍କ ଆହ୍ୱାନକୁ ସମର୍ଥନ କରି ଦାୟିତ୍ୱ ପାଳନ କରିଥିବା ସେ ସ୍ମରଣ କରାଇଥିଲେ।
ସେ କହିଛନ୍ତି ଯେ, ଆମଦାନୀ ଉପରେ ନିର୍ଭରତା କମ କରିବା ଏବଂ ବିଦେଶୀ ମୁଦ୍ରା ବ୍ୟୟ କମାଇବା ପାଇଁ ଦେଶବାସୀଙ୍କୁ ଛୋଟ ବଡ଼ ସମସ୍ତ ପ୍ରୟାସ କରିବାକୁ ହେବ। ବ୍ୟକ୍ତିଗତ ଖର୍ଚ୍ଚ ଯାହା ବିଦେଶୀ ମୁଦ୍ରା ବ୍ୟୟ କରାଏ, ସେଗୁଡ଼ିକୁ ଏଡାଇବାକୁ ସେ ଅନୁରୋଧ କରିଛନ୍ତି।
ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ସାର୍ବଜନୀନ ପରିବହନ ବ୍ୟବହାର ବୃଦ୍ଧି କରିବା ସହ ଇଲେକ୍ଟ୍ରିକ୍ ଯାନ ବ୍ୟବହାରକୁ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି। ସେହିପରି ଦେଶର ଆର୍ଥିକ ସ୍ଥିରତାକୁ ମଜବୁତ କରିବା ପାଇଁ ସୁନା କିଣିବା ଭଳି ଅଣ-ଆବଶ୍ୟକୀୟ ଖର୍ଚ୍ଚକୁ କିଛି ସମୟ ପାଇଁ ସ୍ଥଗିତ ରଖିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, “ଦେଶର ସମ୍ବଳ ଉପରେ ବୋଝ ହ୍ରାସ କରିବା ପାଇଁ ବିଦେଶରୁ ଆମଦାନୀ ହେଉଥିବା ଉତ୍ପାଦର ବ୍ୟବହାର କମାଇବା ଆବଶ୍ୟକ। ଆମ ସମସ୍ତଙ୍କୁ ଏକାଠି ହୋଇ ଦେଶ ପ୍ରତି ନିଜ ଦାୟିତ୍ୱ ପୂରଣ କରିବାକୁ ପଡିବ।”




