ନୂଆଦିଲ୍ଲୀ: ଶାରଦୀୟ ଦୁର୍ଗାପୂଜା ଓ ଦଶହରା ଉତ୍ସବ ଅବସରରେ ଆସନ୍ତା ମଙ୍ଗଳବାର ଦିନ ନୂଆଦିଲ୍ଲୀର ଆଇପି ଏକ୍ସଟେନ୍ସନ୍ ଠାରେ ଆୟୋଜିତ ହେବାକୁ ଥିବା ଭବ୍ୟ ବିଜୟା ଦଶମୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଆନୁଷଙ୍ଗିକ ପ୍ରସ୍ତୁତି ଜୋରଦାର କରାଯାଉଛି।

ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ଭାବେ ପାଳିତ ଏହି ପର୍ବରେ ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ଦିଲ୍ଲୀର ବିଭିନ୍ନ ପ୍ରମୁଖ ରାମଲୀଳା ମଣ୍ଡପରେ ଶ୍ରୀରାମଙ୍କ ଆରତୀ କରିବା ସହ ରାବଣ ପୋଡ଼ି ଉତ୍ସବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାନ୍ତି। ପୂର୍ବରୁ ୨୦୨୪ ମସିହାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଲାଲକିଲ୍ଲା ପରେଡ୍ ଗ୍ରାଉଣ୍ଡରେ ଏବଂ ୨୦୨୩ ଓ ୨୦୧୯ ରେ ଦ୍ୱାରକା ସେକ୍ଟର-୧୦ ରେ ଅନୁଷ୍ଠିତ ଦଶହରା ମହୋତ୍ସବରେ ଭାଗ ନେଇଥିଲେ।

ଅନ୍ୟପଟେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ସନ୍ଧ୍ୟାରେ ପଞ୍ଜାବର ଲୁଧିଆନାରେ ଆୟୋଜିତ ବିଜୟା ଦଶମୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବେ। ସେଠାରେ ପାରମ୍ପରିକ ରାବଣ ପୁତ୍ତଳିକା ଦାହ ସହିତ ରାଜ୍ୟର ପ୍ରମୁଖ ସମସ୍ୟା ପାଲଟିଥିବା ‘ନିଶା କାରବାର’ର ପ୍ରତୀକାତ୍ମକ ପୁତ୍ତଳିକା ମଧ୍ୟ ଦାହ କରାଯିବ।

ପଞ୍ଜାବରେ ନିଶା କାରବାର ବିରୋଧରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ସାମାଜିକ ବ୍ୟାଧିକୁ ସୂଳପାତ କରିବା ଲକ୍ଷ୍ୟରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଦେଶସାରା ପବିତ୍ର ଦଶହରା ପର୍ବକୁ ନେଇ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।