ନୂଆଦିଲ୍ଲୀ: ସୋନାଲିକା ଇଣ୍ଟରନ୍ୟାସନାଲ ଟ୍ରାକ୍ଟର୍ସ ଲିମିଟେଡ୍ (ITL)ର ମ୍ୟାନେଜିଂ ଡାଇରେକ୍ଟର ଡକ୍ଟର ଦୀପକ ମିତ୍ତଲଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଭୋଜିକୁ ନିମନ୍ତ୍ରଣ ମିଳିଛି। ଲିକଟେନଷ୍ଟାଇନ୍ର କ୍ରାଉନ୍ ପ୍ରିନ୍ସ ଆଲୋଇସ୍ଙ୍କ ଭାରତ ଗସ୍ତ ଅବସରରେ ଅକ୍ଟୋବର ୨୭ ତାରିଖରେ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ରେ ଏହି ଭୋଜି ଆୟୋଜିତ ହୋଇଥିଲା। ଏଥିରେ ଦେଶର ପ୍ରମୁଖ ଶିଳ୍ପପତିଙ୍କ ସହ ୟୁରୋପୀୟ ଶିଳ୍ପ ଜଗତର ପ୍ରତିନିଧିମାନେ ଯୋଗ ଦେଇଥିଲେ।
ଭାରତ-ଲିକଟେନଷ୍ଟାଇନ୍ ଆର୍ଥିକ ସମ୍ପର୍କ ମଜବୁତ କରିବା ଉପରେ ଗୁରୁତ୍ୱ
କ୍ରାଉନ୍ ପ୍ରିନ୍ସ ଆଲୋଇସ୍ଙ୍କ ଭାରତ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦୁଇ ଦେଶ ମଧ୍ୟରେ ଆର୍ଥିକ ଓ ରଣନୈତିକ ସହଯୋଗକୁ ଆହୁରି ମଜବୁତ କରିବା। ତାଙ୍କ ସହ ୟୁରୋପର ପ୍ରମୁଖ ଶିଳ୍ପପତିଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ଭାରତ ଆସିଥିଲେ।
India-EFTA Trade and Economic Partnership Agreement (TEPA) କାର୍ଯ୍ୟକାରୀ ହେବା ପରେ ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟ, ନିବେଶ ଓ ଶିଳ୍ପ କ୍ଷେତ୍ରରେ ସହଯୋଗ ବଢ଼ାଇବା ଉପରେ ଆଲୋଚନା ହୋଇଥିଲା। ଆଧୁନିକ ଉତ୍ପାଦନ ପ୍ରଯୁକ୍ତି, ଶିଳ୍ପ ବିକାଶ, ସ୍ଥାୟୀ ଉନ୍ନତି ଓ ସୀମାପାର ନିବେଶ ଭଳି କ୍ଷେତ୍ରରେ ସହଭାଗିତା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
୧୯୯୬ରୁ ଆରମ୍ଭ ହୋଇଥିଲା ITLର ଯାତ୍ରା
୧୯୯୬ରେ ପଞ୍ଜାବର ହୋଶିଆରପୁରରୁ ପ୍ରଥମ ଟ୍ରାକ୍ଟର ଉତ୍ପାଦନ କରି ନିଜର ଯାତ୍ରା ଆରମ୍ଭ କରିଥିଲା International Tractors Limited। ତିନି ଦଶନ୍ଧି ମଧ୍ୟରେ କମ୍ପାନି ଅନ୍ତର୍ଜାତୀୟ ବଜାରରେ ନିଜର ପରିଚୟ ସୃଷ୍ଟି କରିଛି। ବର୍ତ୍ତମାନ କମ୍ପାନି ୧୫୦ରୁ ଅଧିକ ଦେଶରେ ନିଜର ଉପସ୍ଥିତି ଜାହିର କରିଛି।
କମ୍ପାନି ପକ୍ଷରୁ ଦାବି କରାଯାଇଛି ଯେ, ଗତ ଆଠ ବର୍ଷ ଧରି ଏହା ଭାରତର ଏକ ନମ୍ବର ଟ୍ରାକ୍ଟର ରପ୍ତାନି ବ୍ରାଣ୍ଡ୍ ଭାବେ ନିଜ ସ୍ଥାନ ବଜାୟ ରଖିଛି। ଏହା ବିଶ୍ୱର ପାଞ୍ଚଟି ବୃହତ୍ ଟ୍ରାକ୍ଟର ବ୍ରାଣ୍ଡ୍ ମଧ୍ୟରେ ମଧ୍ୟ ସ୍ଥାନ ପାଇଛି।
ଭାରତୀୟ ଶିଳ୍ପର ବିଶ୍ୱସ୍ତରୀୟ ପରିଚୟ
ପ୍ରଧାନମନ୍ତ୍ରୀଙ୍କ ଏହି ନିମନ୍ତ୍ରଣକୁ ଭାରତୀୟ ଶିଳ୍ପ ଜଗତ ପାଇଁ ଏକ ସମ୍ମାନଜନକ ଅବସର ଭାବେ ଦେଖାଯାଉଛି। ଏହା ଦେଶର ଘରୋଇ ଉଦ୍ୟୋଗଗୁଡ଼ିକୁ ଅନ୍ତର୍ଜାତୀୟ ବାଣିଜ୍ୟ ଓ ନିବେଶ ସହ ଯୋଡ଼ିବାରେ ସହାୟକ ହେବ ବୋଲି ଶିଳ୍ପ ମହଲରେ ଆଶା ପ୍ରକାଶ ପାଇଛି।




