ଇସଲାମାବାଦ: ପାକ୍‌ ଅଧିକୃତ କାଶ୍ମୀର (ପିଓକେ)ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଦିନ ସୋମବାର ବ୍ୟାପକ ହିଂସାର ଘଟଣା ସାମ୍ନାକୁ ଆସିଛି। ରାୱଲାକୋଟ ସମେତ ବିଭିନ୍ନ ସ୍ଥାନରେ ନିର୍ବାଚନ ବର୍ଜନ ଦାବିରେ ଆନ୍ଦୋଳନ କରୁଥିବା **ଜଏଣ୍ଟ ଆୱାମୀ ଆକ୍ସନ କମିଟି (JAAC)**ର ପଦଯାତ୍ରା ଉପରେ ପାକିସ୍ତାନ ସୁରକ୍ଷା ବାହିନୀ ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି।

ଜେଏଏସିର ଦାବି ଅନୁଯାୟୀ, ଏହି ଘଟଣାରେ ଅତିକମରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସଂଗଠନ କହିଛି ଯେ, ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ।

ଜେଏଏସି ଅଭିଯୋଗ କରିଛି ଯେ, ରାୱଲାକୋଟ ସହରକୁ ପ୍ରବେଶ କରୁଥିବା ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଉପରେ ସୁରକ୍ଷା ବାହିନୀ ଗୁଳିଚାଳନା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ୧୯ ଜଣ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇଥିବାବେଳେ ଆଉ ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ଘଟଣାର ଏକ ସ୍ୱାଧୀନ ଓ ନିଷ୍ପକ୍ଷ ତଦନ୍ତ କରିବାକୁ ଜେଏଏସି ଆନ୍ତର୍ଜାତିକ ସମୁଦାୟ ଏବଂ ଗଣମାଧ୍ୟମକୁ ଆହ୍ୱାନ ଜଣାଇଛି।

ଅନ୍ୟପକ୍ଷରେ, ପିଓକେ ପୁଲିସ ଏହି ଅଭିଯୋଗକୁ ଖଣ୍ଡନ କରି ଭିନ୍ନ ମତ ରଖିଛି। ପୁଲିସର କହିବା ଅନୁଯାୟୀ, ନିଷିଦ୍ଧ ଘୋଷିତ ଜେଏଏସିର କର୍ମୀମାନେ ବଳପୂର୍ବକ ରାୱଲାକୋଟରେ ପ୍ରବେଶ କରି ସୁରକ୍ଷାକର୍ମୀଙ୍କ ଉପରେ ପ୍ରଥମେ ଗୁଳିଚାଳନା କରିଥିଲେ। ଏହାପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ତେବେ ସରକାରୀ ପକ୍ଷରୁ ମୃତକ କିମ୍ବା ଆହତଙ୍କ ସଂଖ୍ୟା ସମ୍ପର୍କରେ କୌଣସି ବିସ୍ତୃତ ତଥ୍ୟ ଜାରି କରାଯାଇନାହିଁ।

ଗତ କିଛି ସପ୍ତାହ ଧରି ପିଓକେରେ ଜେଏଏସି ନେତୃତ୍ୱରେ ନିର୍ବାଚନ ବର୍ଜନ ଏବଂ ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନ ଜାରି ରହିଛି। ଅଶାନ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁଇଟି ଜିଲ୍ଲାରେ ମତଦାନ ସ୍ଥଗିତ ରଖାଯାଇଛି। ନିର୍ବାଚନ ପୂର୍ବରୁ ମଧ୍ୟ ଘଟିଥିବା ସଂଘର୍ଷରେ ଜନହାନି ଘଟିଥିବାରୁ ଏହି ଅଞ୍ଚଳର ମାନବାଧିକାର ପରିସ୍ଥିତିକୁ ନେଇ ଉଦ୍‌ବେଗ ବଢ଼ିଛି।

ଏପଟେ ଭାରତ ସରକାର ପୂର୍ବରୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଆସୁଛନ୍ତି ଯେ, ପାକ୍‌ ଅଧିକୃତ କାଶ୍ମୀର ଭାରତର ଅବିଚ୍ଛିନ୍ନ ଅଂଶ ଏବଂ ସେଠାରେ ପାକିସ୍ତାନର ପ୍ରଶାସନିକ ବିଫଳତା ଓ ଦମନମୂଳକ ନୀତି ଯୋଗୁ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ କ୍ରମଶଃ ବଢ଼ୁଛି।