ନୂଆଦିଲ୍ଲୀ: ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ ଏବଂ ବେଆଇନ ଅନୁପ୍ରବେଶ ଅଭିଯୋଗରେ କୋକରୋଚ୍ ଜନତା ପାର୍ଟି ର ଦୁଇ ପ୍ରମୁଖ ନେତାଙ୍କୁ ଜେଲ୍ ପଠାଯିବା ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଯନ୍ତର ମନ୍ତରରେ ଶାନ୍ତିପୂର୍ଣ୍ଣ ଭାବେ ତ୍ରିରଙ୍ଗା ପତାକା ଉଡ଼ାଇବା ପାଇଁ ଯୁବକମାନଙ୍କୁ ଜେଲ୍ରେ ପୂରାଇବା ସରକାରଙ୍କ “କାପୁରୁଷତା” ବୋଲି ସେ ଅଭିଯୋଗ କରିଛନ୍ତି।
ବୁଧବାର ସିଜେପି ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଯନ୍ତର ମନ୍ତରରେ ଅନଧିକୃତ ପ୍ରବେଶ ମାମଲାରେ କୋର୍ଟ ୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅନ୍ୟପଟେ ଦଳର ଆଉ ଜଣେ ନେତା ଅଜିଙ୍କ୍ୟ ଶିନ୍ଦେଙ୍କୁ ବ୍ୟକ୍ତିଗତ ମୁଚାଲେକାରେ ଖଲାସ କରାଯାଇଛି।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଷ୍ଟ କରି ରାହୁଲ ଗାନ୍ଧୀ ଲେଖିଛନ୍ତି, “ଯନ୍ତର ମନ୍ତରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସମୟରେ ତ୍ରିରଙ୍ଗା ଉଡ଼ାଇବା କୌଣସି ଅପରାଧ ନୁହେଁ। ଏଥିପାଇଁ ଯୁବପିଢ଼ିଙ୍କୁ ଜେଲ୍ରେ ପୂରାଇବା ଏକ କାପୁରୁଷତାପୂର୍ଣ୍ଣ କାର୍ଯ୍ୟ। ଛାତ୍ର, ଯୁବକ, ସାମ୍ବାଦିକ ଏବଂ ‘ଇଣ୍ଡିଆ’ ମହାଜୁଟ ଅଲଗା ଅଲଗା ବ୍ୟାନର ହୋଇପାରେ, କିନ୍ତୁ ଲକ୍ଷ୍ୟ ଏକ। ନାଗରିକମାନେ ନିଜର ସାମ୍ବିଧାନିକ ଅଧିକାର ଦାବି କରୁଥିବା ସମସ୍ତ ବିକ୍ଷୋଭ ଏକ।”
ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, “ଯନ୍ତର ମନ୍ତର ଭାରତର ଜନସାଧାରଣଙ୍କର। ଆମେ ଏହାକୁ ପୁନର୍ବାର ହାସଲ କରିବୁ।”
ପୋଲିସ ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସ ପକ୍ଷରୁ ନିକଟରେ ଯନ୍ତର ମନ୍ତରକୁ ପ୍ରତିବାଦ ସ୍ଥଳ ଭାବେ ନିଷିଦ୍ଧ ଘୋଷଣା କରାଯାଇଥିଲା। ଏହି ନିୟମକୁ ଭଙ୍ଗ କରି ପୋଲିସ ବାରିକେଡ୍ ଭାଙ୍ଗିବା, ସରକାରୀ କାର୍ଯ୍ୟରେ ବାଧା ଦେବା ଏବଂ ପୂର୍ବରୁ ସ୍ୱାକ୍ଷର କରିଥିବା ବାଣ୍ଡ୍ ନିୟମ ଭଙ୍ଗ କରିଥିବା ଅଭିଯୋଗରେ ମଙ୍ଗଳବାର ସିଜେପିର ତିନିଜଣ ନେତାଙ୍କୁ ଅଟକ ରଖାଯାଇଥିଲା।
ଏହି ନେତାମାନେ ନିର୍ବାଚନ ଆୟୋଗଙ୍କ ଭୋଟର ତାଲିକାର ‘ସ୍ପେଶାଲ ଇଣ୍ଟେନସିଭ୍ ରିଭ୍ୟୁ’ ରେ ବେଆଇନ କାର୍ଯ୍ୟ ସନ୍ଦେହ କରି ମୁଖ୍ୟ ନିର୍ବାଚନ ଆୟୋଗଙ୍କ ବିରୋଧରେ ନାରାବାଜି କରି ଯନ୍ତର ମନ୍ତର ଆଡ଼କୁ ଅଗ୍ରସର ହେଉଥିଲେ। ବୁଧବାର ସକାଳେ ନୂଆଦିଲ୍ଲୀର ମନ୍ଦିର ମାର୍ଗସ୍ଥିତ ମାଜିଷ୍ଟ୍ରେଟ୍ କୋର୍ଟରେ ସେମାନଙ୍କୁ ହାଜର କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୦ ଆନ୍ଦୋଳନ ସମୟରେ ସିଜେପି ସଂସ୍ଥାପକ ଅଭିଜିତ୍ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରାଙ୍କା ୫୦,୦୦୦ ଟଙ୍କାର ବାଣ୍ଡ୍ ଦେଇ ଏକ ବର୍ଷ ପର୍ଯ୍ୟନ୍ତ ଶାନ୍ତି ଭଙ୍ଗ ନକରିବା ସତ୍ତ୍ୱେ ପୁନର୍ବାର ନିୟମ ଭଙ୍ଗ କରିଥିବାରୁ କୋର୍ଟ ସେମାନଙ୍କୁ ଜେଲ୍ ପଠାଇଛନ୍ତି।
ଗୃହ ମନ୍ତ୍ରଣାଳୟର ସୁପାରିଶକ୍ରମେ ଦିଲ୍ଲୀ ପୋଲିସ ଯନ୍ତର ମନ୍ତରକୁ ପ୍ରତିବାଦ ସ୍ଥଳ ତାଲିକାରୁ ହଟାଇ ରାମଲୀଳା ମୈଦାନ, ବୁରାରୀ ମୈଦାନ ଏବଂ ପୂର୍ବ ଦିଲ୍ଲୀର ସିବିଡି ଗ୍ରାଉଣ୍ଡକୁ ନୂତନ ବିକ୍ଷୋଭ ସ୍ଥଳ ଭାବେ ଘୋଷଣା କରିଛି।




