ରାଉଘାଟ: ଦକ୍ଷିଣ ଛତିଶଗଡ଼ର ଦୁର୍ଗମ ରାଉଘାଟ ଅଞ୍ଚଳକୁ ପ୍ରଥମଥର ପାଇଁ ରେଳପଥ ପହଞ୍ଚିଛି। ଦଲ୍ଲୀରାଜହରା-ରାଉଘାଟ ନୂଆ ରେଳପଥ ପ୍ରକଳ୍ପର ଶେଷ ତାରୋକି-ରାଉଘାଟ ଅଂଶର କାମ ସମ୍ପୂର୍ଣ୍ଣ ହୋଇଛି। ୧୭.୫ କିମି ଲମ୍ବା ଏହି ଅଂଶରେ ରେଳ ସୁରକ୍ଷା କମିସନରଙ୍କ ନିରୀକ୍ଷଣ ସହ ସ୍ପିଡ୍ ଟ୍ରାଏଲ୍ ମଧ୍ୟ ସରିଛି। ଏହା ସହିତ ରାଉଘାଟକୁ ରେଳ ଯୋଗାଯୋଗର ଦ୍ୱାର ଖୋଲିଛି।

ଦଲ୍ଲୀରାଜହରା-ରାଉଘାଟ ନୂଆ ରେଳପଥର ମୋଟ ଲମ୍ବ ପ୍ରାୟ ୯୫ କିମି। ଏହା ସିଙ୍ଗଲ୍ ଲାଇନ୍ ବିଦ୍ୟୁତୀକୃତ ବ୍ରଡ୍‌ଗେଜ୍ ରେଳପଥ। ରାଉଘାଟ ଅଞ୍ଚଳକୁ ରେଳ ନେଟୱର୍କ ସହ ଯୋଡ଼ିବା ସହ ଏହି ପ୍ରକଳ୍ପ ଦକ୍ଷିଣ ଛତିଶଗଡ଼ର ଦୁର୍ଗମ ଅଞ୍ଚଳର ଯୋଗାଯୋଗକୁ ମଧ୍ୟ ମଜବୁତ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

୨୦୨୨ରେ ଦଲ୍ଲୀରାଜହରା-ତାରୋକି ଟ୍ରେନ୍

ପ୍ରକଳ୍ପର ଦଲ୍ଲୀରାଜହରା-ତାରୋକି ଅଂଶରେ ୨୦୨୨ରୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା। ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଚାକିରି ଓ ବ୍ୟବସାୟ ପାଇଁ ଯାତାୟାତର ସୁବିଧା ମିଳିଛି। ଏବେ ରେଳପଥ ରାଉଘାଟ ପର୍ଯ୍ୟନ୍ତ ପହଞ୍ଚିବା ପରେ ଏହି ସୁବିଧା ଆହୁରି ଦୁର୍ଗମ ଅଞ୍ଚଳକୁ ବଢ଼ିବାର ସମ୍ଭାବନା ରହିଛି।

ଲୁହାପଥର ପରିବହନକୁ ମିଳିବ ଗତିରାଉଘାଟ ରେଳପଥର ଅନ୍ୟତମ ଉଦ୍ଦେଶ୍ୟ ହେଉଛି ଲୁହାପଥର ପରିବହନକୁ ସୁଗମ କରିବା। ଏହା ଭିଲାଇ ଇସ୍ପାତ କାରଖାନା ସମେତ ଇସ୍ପାତ ଶିଳ୍ପର ଲଜିଷ୍ଟିକ୍ସକୁ ମଜବୁତ କରିବାରେ ସହାୟକ ହେବ ବୋଲି ରେଳବାଇ କହିଛି। ଏଥିସହ ରାୟପୁର ଓ ଭିଲାଇ ସହ ଦକ୍ଷିଣ ଛତିଶଗଡ଼ର ସଂଯୋଗ ମଧ୍ୟ ଅଧିକ ସୁଦୃଢ଼ ହେବ।

ଟ୍ରେନ୍ ଚଳାଚଳ ପାଇଁ ଆହୁରି ଅନୁମୋଦନ ଆବଶ୍ୟକ

ରେଳପଥର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ତୁରନ୍ତ ଆରମ୍ଭ ହେବ ବୋଲି କୁହାଯାଇନାହିଁ। CRS ନିରୀକ୍ଷଣ ଓ ସ୍ପିଡ୍ ଟ୍ରାଏଲ୍ ପରେ ଆବଶ୍ୟକ ସୁରକ୍ଷା ଅନୁମୋଦନ ଓ ଅନ୍ୟାନ୍ୟ ପ୍ରକ୍ରିୟା ସରିବାକୁ ପଡ଼ିବ। ଏହା ପରେ ରେଳ ଚଳାଚଳ ଆରମ୍ଭ ହେବ।ରାଉଘାଟ ପର୍ଯ୍ୟନ୍ତ ରେଳ ସଂଯୋଗ ଦକ୍ଷିଣ ଛତିଶଗଡ଼ର ଯାତାୟାତ, ଶିଳ୍ପ ଓ ବାଣିଜ୍ୟିକ ଯୋଗାଯୋଗରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ରେଳବାଇ ଆଶା ପ୍ରକାଶ କରିଛି।