ଓଡ଼ିଶାରେ ପହଞ୍ଚିଲା ‘କକ୍ରୋଚ୍ ଜନତା ପାର୍ଟି’ର ପ୍ରଭାବ: ଛାତ୍ରନେତା ବିଭୂତି ମହାପାତ୍ରଙ୍କ ଚେତାବନୀ, ଦାବି ପୂରଣ ନହେଲେ ଲୋକସେବା ଭବନ ଘେରିବେ ଲକ୍ଷାଧିକ ‘ଅସରପା’

ଭୁବନେଶ୍ୱର: ଜାତୀୟସ୍ତରରେ ଚାଲିଥିବା ଅନଲାଇନ୍ କ୍ୟାମ୍ପେନ ‘କକ୍ରୋଚ୍ ଜନତା ପାର୍ଟି’ (CJP) କୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଓଡ଼ିଶାରେ ମଧ୍ୟ ଏହାର ତାତି ଦେଖିବାକୁ ମିଳିଛି। ରାଜ୍ୟର ବେରୋଜଗାର ଏବଂ ମେଧାବୀ ଯୁବବର୍ଗଙ୍କ ସ୍ୱରକୁ ନେଇ ଓଡ଼ିଶାରେ ଏହାର ଭିତ୍ତିଭୂମି ପଡ଼ିଛି। ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଶିଷ୍ଟ ଛାତ୍ରନେତା ବିଭୂତି ମହାପାତ୍ର ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ କଡ଼ା ଚେତାବନୀ ଦେଇଛନ୍ତି।

ଛାତ୍ରନେତା ବିଭୂତି ମହାପାତ୍ର କହିଛନ୍ତି ଯେ, “ଦେଶର ଓ ରାଜ୍ୟର ମେଧାବୀ ଯୁବକ ଯୁବତୀଙ୍କୁ ଯଦି କ୍ରୋଚ୍‌ (ଅସରପା) କୁହାଯାଉଛି, ତେବେ ସେଥିପାଇଁ ଆମେ ଗର୍ବିତ।” ସେ ରାଜ୍ୟର ବିଭିନ୍ନ ବିଭାଗରେ ଅଟକି ରହିଥିବା ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଓଡ଼ିଶାରେ ଏସ୍‌ଆଇ (SI) ପରୀକ୍ଷାରେ ବ୍ୟାପକ ଦୁର୍ନୀତି ହୋଇଛି। ବର୍ତ୍ତମାନ ରାଜ୍ୟରେ ୧ ଲକ୍ଷ ୫୬ ହଜାର ‘କକ୍ରୋଚ୍’ ଅର୍ଥାତ୍ ଯୋଗ୍ୟ ଯୁବକଯୁବତୀ ଚାକିରି ଆଶାରେ ଦିନ ଗଣୁଛନ୍ତି।

ସେହିପରି ଜିଆରଏସ୍‌ (GRS) ଫର୍ମ ପକାଇ ପ୍ରାୟ ୨ ଲକ୍ଷ ମେଧାବୀ ଯୁବବର୍ଗ ଚାକିରି ପାଇଁ ଅପେକ୍ଷା କରି ରହିଛନ୍ତି। ଏହା ବ୍ୟତୀତ ସରକାରଙ୍କ ଏକାଧିକ ବିଭାଗରେ ଲକ୍ଷାଧିକ ଛାତ୍ରଛାତ୍ରୀ କେବଳ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇବା ଆଶାରେ ବସିଛନ୍ତି, କିନ୍ତୁ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ପଦକ୍ଷେପ ନିଆଯାଉନାହିଁ।

ସରକାରଙ୍କୁ ସିଧାସଳଖ ଚେତାବନୀ:

ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଘେରିବା ସହ ଏକ ବଡ଼ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ବିଭୂତି। ସେ କହିଛନ୍ତି, “ସରକାର ତୁରନ୍ତ ସମସ୍ତ ବିଭାଗର ଚାକିରୀ ପାଇଁ ବିଜ୍ଞପ୍ତି ତାରିଖ ଘୋଷଣା କରନ୍ତୁ, ନଚେତ ଆମେ ଆନ୍ଦୋଳନର ତାରିଖ ଘୋଷଣା କରିବୁ।”

ଯଦି ଏହି ନ୍ୟାୟୋଚିତ ଦାବି ତୁରନ୍ତ ପୂରା ନହୁଏ, ତେବେ ରାଜ୍ୟର ଲକ୍ଷ ଲକ୍ଷ ମେଧାବୀ ଯୁବବର୍ଗ ଏକାଠି ହୋଇ ଅସରପା ଭଳି ଲୋକସେବା ଭବନ (ସଚିବାଳୟ) ର ସମସ୍ତ କାନ୍ଥକୁ ଅତିକ୍ରମ କରି ଭିତରକୁ ପଶିବେ ବୋଲି ସେ ଚରମ ବାଣୀ ଶୁଣାଇଛନ୍ତି।