ଜୟପୁର: ରାଜସ୍ଥାନ ପୌର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ବୁଧବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଭୋଟଗ୍ରହଣ ପ୍ରକ୍ରିୟା ଜାରି ରହିବ।
ଏହି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୯ଟି ଜିଲ୍ଲାର ୧୬୨ଟି ପୌରସଂସ୍ଥାରେ ଭୋଟଗ୍ରହଣ ହେଉଛି। ଏଥିମଧ୍ୟରେ ୧୩୧ଟି ନଗରପାଳିକା, ୨୭ଟି ପୌର ପରିଷଦ ଏବଂ ୪ଟି ମହାନଗର ନିଗମ: ଭରତପୁର, ଆଲୱାର, ବିକାନେର ଓ ଭିଲୱାଡ଼ା ସାମିଲ ଅଛି।
୫୭.୫୨ ଲକ୍ଷରୁ ଅଧିକ ନାଗରିକ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବାକୁ ଯୋଗ୍ୟ। ୫,୩୯୩ଟି ୱାର୍ଡରେ ମୋଟ ୨୦,୬୨୩ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ୬,୯୩୦ଟି ପରିସରରେ ୭,୦୬୭ଟି ବୁଥ୍ ସ୍ଥାପନ କରାଯାଇଛି।୩୨ଟି ୱାର୍ଡରେ ପ୍ରାର୍ଥୀମାନେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇସାରିଛନ୍ତି।
୪ଟି ମହାନଗର ନିଗମର ୨୭୯ଟି ୱାର୍ଡ ମଧ୍ୟରୁ ୭୩ଟି ୱାର୍ଡରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢ଼େଇ ହେଉଥିବା ବେଳେ, ୭୬ଟି ୱାର୍ଡରେ ତ୍ରିମୁଖୀ ଏବଂ ୧୩୦ଟି ୱାର୍ଡରେ ବହୁମୁଖୀ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳୁଛି।
ସକାଳୁ ସକାଳୁ ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ଆଲୱାର ସହରର ୬୫ଟି ୱାର୍ଡ ପାଇଁ ଭୋଟରମାନେ ବୁଥକୁ ଆସିବା ଆରମ୍ଭ କରିଥିଲେ। ଡାକବଙ୍ଗଳା ମତଦାନ କେନ୍ଦ୍ରରେ ଜୟପ୍ରକାଶ ଶର୍ମା ପ୍ରଥମ ଭୋଟ୍ ଦେଇଥିଲେ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ନାଗରିକମାନଙ୍କୁ ଉତ୍ସାହର ସହିତ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗ ନେବାକୁ ଆହ୍ୱାନ କରିଛନ୍ତି। ବିଶେଷ କରି ପ୍ରଥମ ଥର ଭୋଟ୍ ଦେଉଥିବା ଯୁବ ଭୋଟରମାନଙ୍କୁ ଅଧିକ ସଂଖ୍ୟାରେ ଆସି ମତାଧିକାର ସାବ୍ୟସ୍ତ କରିବାକୁ ସେ ଅନୁରୋଧ କରିଛନ୍ତି।
ନିର୍ବାଚନ ସମ୍ପର୍କିତ ଅଭିଯୋଗ ଏବଂ ସୂଚନା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଏକ କଣ୍ଟ୍ରୋଲ ରୁମ୍ (0141-2227407) କାର୍ଯ୍ୟକ୍ଷମ କରିଛନ୍ତି। ଭୋଟରମାନେ ବୁଥକୁ ଯିବା ପୂର୍ବରୁ ଆୟୋଗଙ୍କ ୱେବସାଇଟ୍ରେ ‘Search Voter’ ସୁବିଧା ମାଧ୍ୟମରେ ନିଜର ନାମ ଓ ବୁଥ୍ ସମ୍ପର୍କରେ ସୂଚନା ଯାଞ୍ଚ କରିପାରିବେ। ନିର୍ବାଚନ ଆୟୋଗ ପକ୍ଷରୁ ସିଧାସଳଖ ସ୍ଲିପ୍ ବଣ୍ଟନ କରାଯାଇ ନଥିବାରୁ ଗତକାଲି ରାଜନୈତିକ ଦଳର କର୍ମୀମାନେ ଘରକୁ ଘର ବୁଲି ଭୋଟର ସ୍ଲିପ୍ ବାଣ୍ଟିଥିଲେ।




