ନୂଆଦିଲ୍ଲୀ: ଗୁପ୍ତ ସାମରିକ ସୂଚନା ଜଣେ ମହିଳାଙ୍କୁ ହ୍ୱାଟ୍ସଆପ୍‌ ମାଧ୍ୟମରେ ଦେଇଥିବା ଅଭିଯୋଗରେ ଭାରତୀୟ ସ୍ଥଳସେନାର ଜଣେ ଅବସରପ୍ରାପ୍ତ କ୍ୟାପଟେନ୍‌ଙ୍କୁ ତାମିଲନାଡୁର ଭେଲ୍ଲୋରରୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନାମ ବାବୁ ପି ଏବଂ ବୟସ ୫୨ ବର୍ଷ। ସେ ପାକିସ୍ତାନୀ ମହିଳାଙ୍କୁ ସମ୍ବେଦନଶୀଳ ସାମରିକ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି।

ପୁଲିସ ଓ ତଦନ୍ତକାରୀ ସଂସ୍ଥାର ସୂଚନା ଅନୁଯାୟୀ, ବାବୁ ପ୍ରାୟ ୨୮ ବର୍ଷ ଧରି ଭାରତୀୟ ସେନାର ବିଭିନ୍ନ ବିଭାଗରେ କାମ କରିଥିଲେ। ଅବସର ପରେ ସେ ତାମିଲନାଡୁରେ ରହୁଥିଲେ। ପ୍ରାୟ ଏକ ବର୍ଷ ପୂର୍ବେ ହ୍ୱାଟ୍ସଆପ୍‌ରେ ଜଣେ ମହିଳା ତାଙ୍କ ସହ ଯୋଗାଯୋଗ କରିଥିଲେ। ମହିଳା ଜଣକ ନିଜକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ)ର ଏକ ପ୍ରକଳ୍ପ ସହ ଜଡ଼ିତ ବୋଲି ପରିଚୟ ଦେଇଥିବା କୁହାଯାଉଛି।

ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ଗଢ଼ିଉଠିଥିଲା। ମହିଳାଙ୍କ ଅନୁରୋଧରେ ବାବୁ ସାମରିକ ଉପକରଣ ଓ ସେନା ସମ୍ବନ୍ଧୀୟ କିଛି ସମ୍ବେଦନଶୀଳ ସୂଚନା ଦେଇଥିବା ଅଭିଯୋଗ ହୋଇଛି। ଏପରିକି ଅଧିକ ତଥ୍ୟ ସଂଗ୍ରହ ପାଇଁ ସେ ଅନ୍ୟ ସେନା ଅଧିକାରୀ ଓ ସମ୍ପୃକ୍ତ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିବା ତଦନ୍ତକାରୀଙ୍କ ସନ୍ଦେହ।

ଗୁଇନ୍ଦା ସୂଚନା ଆଧାରରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବାବୁଙ୍କୁ ଦୁଇ ଦିନ ଧରି ଜେରା କରିଥିଲା। ପରେ ତାଙ୍କୁ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୫୨ ଏବଂ ଅଫିସିଆଲ୍‌ ସିକ୍ରେଟ୍‌ସ ଆକ୍ଟ, ୧୯୨୩ର ସମ୍ପୃକ୍ତ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ତାଙ୍କୁ ଭେଲ୍ଲୋର କେନ୍ଦ୍ରୀୟ କାରାଗାରକୁ ନ୍ୟାୟିକ ହାଜତରେ ପଠାଯାଇଛି।

ତେବେ ଉକ୍ତ ମହିଳାଙ୍କ ପ୍ରକୃତ ପରିଚୟ ଓ ଜାତୀୟତା ଏଯାଏଁ ସ୍ପଷ୍ଟ ହୋଇନାହିଁ। ସେ ପାକିସ୍ତାନ ସହ ଜଡ଼ିତ କି ନାହିଁ ଏବଂ ଅଭିଯୋଗ ଅନୁଯାୟୀ ତଥ୍ୟ ଅନ୍ୟ କୌଣସି ସଂସ୍ଥା ପାଖରେ ପହଞ୍ଚିଛି କି ନାହିଁ, ତାହା ତଦନ୍ତ କରାଯାଉଛି। ଏହି ମାମଲାରେ ଅଭିଯୋଗଗୁଡ଼ିକର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ।