ସଂଯୁକ୍ତ ରାଷ୍ଟ୍ର: “ଭାରତ ପାଇଁ ବିକାଶମୂଳକ ସହଯୋଗ ହେଉଛି ଆମ ବୈଦେଶିକ ନୀତିର ଏକ କେନ୍ଦ୍ରୀୟ ସ୍ତମ୍ଭ,” ବୋଲି ସଂଯୁକ୍ତ ରାଷ୍ଟ୍ର (UN) ରେ ଅନୁଷ୍ଠିତ ‘ଇଣ୍ଡିଆ-UN ଫଣ୍ଡ ବାର୍ଷିକ ସମ୍ମିଳନୀ-୨୦୨୬’ରେ ଭାରତୀୟ ସାଂସଦ ପ୍ରତିନିଧି ଦଳର ନେତ୍ରୀ ସଙ୍ଗୀତା କୁମାରୀ ସିଂହଦେଓ ପ୍ରକାଶ କରିଛନ୍ତି। ନିୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଗୁରୁବାର ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିନିଧିମାନେ ଭାରତର ସହାୟତାକୁ ଭୂୟସୀ ପ୍ରଶଂସା କରିଛନ୍ତି।

ଓଡ଼ିଶାର ବଲାଙ୍ଗୀର ଲୋକସଭା ଆସନରୁ ବିଜେପି ସାଂସଦ ଥିବା ସଙ୍ଗୀତା କୁମାରୀ ସିଂହଦେଓ ଭାରତର ଆଭିମୁଖ୍ୟ ସମ୍ପର୍କରେ କହିଛନ୍ତି ଯେ, ଏହି ପାଣ୍ଠି ‘ଗ୍ଲୋବାଲ ସାଉଥ୍’ ର ବିକାଶଶୀଳ ଦେଶଗୁଡ଼ିକ ସହ ଭାରତର ବ୍ୟାପକ ଭାଗିଦାରୀର ଏକ ଅଂଶ।

୨୦୧୭ ମସିହାରେ ୧୫୦ ନିୟୁତ ଡଲାରର ସହାୟତା ରାଶି ସହ ଆରମ୍ଭ ହୋଇଥିବା ଏହି ପାଣ୍ଠି, ସଂଯୁକ୍ତ ରାଷ୍ଟ୍ରର ‘ସାବଲୀଳ ବିକାଶ ଲକ୍ଷ୍ୟ’ (SDGs) ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଭାରତର ସହାୟତା ଚାହିଦା-ଭିତ୍ତିକ ଏବଂ ପାରସ୍ପରିକ ସମ୍ମାନ, ସାର୍ବଭୌମତ୍ୱ ଓ ମିଳିତ ଲାଭ ଉପରେ ଆଧାରିତ। ଭାଗିଦାରୀ ଦେଶଗୁଡ଼ିକ ନିଜର ଆବଶ୍ୟକତା ନିଜେ ସ୍ଥିର କରନ୍ତି, ଏବଂ ଭାରତ ସେଗୁଡ଼ିକୁ ବାସ୍ତବ ରୂପ ଦେବାରେ ସାହାଯ୍ୟ କରେ।

ଜାତିସଂଘର ଉପ-ମହାସଚିବ (UN Under-Secretary-General) ହାଓଲିଆଙ୍ଗ (Hao Liang Xu) ଏହି ଅବସରରେ ଭାରତର ଯୋଗଦାନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି:

‘ଇଣ୍ଡିଆ-UN ବିକାଶ ଭାଗିଦାରୀ ପାଣ୍ଠି’ ମାଧ୍ୟମରେ ବିଶ୍ୱର ୬୪ଟି ଦେଶରେ ୯୪ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଛି।ନିଜର ଆଫ୍ରିକା ଗସ୍ତର ଅନୁଭୂତି ବାଣ୍ଟି ସେ କହିଥିଲେ ଯେ, ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ଭାରତର ସହାୟତାରେ ‘ନ୍ୟାଣ୍ଡୋ ଆନିକଟ’ ନିର୍ମାଣ, ଜଳସେଚନ, ମହିଳା ସମବାୟ ସମିତି ଏବଂ ସ୍କୁଲ ଭିତ୍ତିଭୂମିର ବିକାଶ କରାଯାଇଛି, ଯାହା ଦ୍ୱାରା ୫୦,୦୦୦ରୁ ଅଧିକ ଲୋକ ଲାଭବାନ ହୋଇଛନ୍ତି।

ଏହି ସମ୍ମିଳନୀରେ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପସମୂହ, ଦକ୍ଷିଣ-ପୂର୍ବ ଏସିଆ, ୟୁରୋପ, ଆଫ୍ରିକା ଏବଂ ଲାଟିନ୍ ଆମେରିକାର ପ୍ରତିନିଧିମାନେ ଯୋଗଦେଇ ଭାରତର ବସୁଧୈବ କୁଟୁମ୍ବକମ୍ ଆଦର୍ଶକୁ ସାଧୁବାଦ ଜଣାଇଥିଲେ।