ମୁମ୍ବାଇ: ଦେଶର ପୁଞ୍ଜି ବଜାରରେ ଆଜି ଭୟଙ୍କର ପତନ ଦେଖିବାକୁ ମିଳିଛି। ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତି, ଅଶୋଧିତ ତେଲ ଦର ବୃଦ୍ଧି ଓ ବିଦେଶୀ ନିବେଶକଙ୍କ ବିକ୍ରି ଚାପ ମଧ୍ୟରେ ଦଲାଲ୍‌ ଷ୍ଟ୍ରିଟ୍‌ରେ ବଡ଼ ଧସ ଦେଖାଦେଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୧୪୫୬ ପଏଣ୍ଟ ବା ୧.୯୨ ପ୍ରତିଶତ ଖସି ୭୪,୫୫୯.୨୪ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୪୩୬ ପଏଣ୍ଟ ହ୍ରାସ ପାଇ ୨୩,୩୭୯.୫୫ ପଏଣ୍ଟରେ କାରବାର ଶେଷ କରିଛି।

ଏହି ବଡ଼ ପତନର ପ୍ରଭାବରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ୪୫୬ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି। ଫଳରେ ଗୋଟିଏ ଦିନରେ ନିବେଶକମାନଙ୍କର ୧୧ ଲକ୍ଷ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଧୋଇଯାଇଛି। ଗତ ୪ଟି କାରବାର ଦିନ ମଧ୍ୟରେ ସେନସେକ୍ସ ପ୍ରାୟ ୩୪୦୦ ପଏଣ୍ଟ ତଳକୁ ଖସିଥିବା ବେଳେ ନିଫ୍ଟି ୪ ପ୍ରତିଶତ ହ୍ରାସ ପାଇଛି। ଏହି ସମୟରେ ନିବେଶକମାନେ ମୋଟ ୧୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି।

ବଜାରରେ ଏଭଳି ଅସ୍ଥିରତା ପଛରେ ଅନେକ କାରଣ ରହିଛି। ଆମେରିକା ଓ ଇରାନ ମଧ୍ୟରେ ଘୋଷିତ ଯୁଦ୍ଧବିରତି କେତେଦିନ ସ୍ଥାୟୀ ରହିବ, ସେନେଇ ଅନିଶ୍ଚିତତା ଜାରି ରହିଛି। ଏହା ସହ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦୭ ଡଲାର ଉପରେ ରହିବା ଭାରତୀୟ ଅର୍ଥନୀତି ଉପରେ ଚାପ ବଢ଼ାଇଛି।

ପ୍ରଧାନମନ୍ତ୍ରୀ Narendra Modi ଦେଶବାସୀଙ୍କୁ ପେଟ୍ରୋଲ ଓ ଡିଜେଲ ବ୍ୟବହାର କମାଇବାକୁ ଆହ୍ୱାନ କରିବା ପରେ ମଧ୍ୟ ବଜାରରେ ଚିନ୍ତା ବଢ଼ିଛି। ଏହାକୁ ନେଇ ଇନ୍ଧନ ଆମଦାନି ଓ ବିଦେଶୀ ମୁଦ୍ରା ଉପରେ ଚାପ ବୃଦ୍ଧି ପାଇବାର ସଙ୍କେତ ମିଳୁଛି ବୋଲି ନିବେଶକମାନେ ଆଶଙ୍କା କରୁଛନ୍ତି।

ଏହାସହ ଡଲାର ତୁଳନାରେ ଟଙ୍କା ମୂଲ୍ୟ ରେକର୍ଡ ସର୍ବନିମ୍ନ ସ୍ତରକୁ ଖସିବା ଏବଂ ବିଦେଶୀ ପ୍ରତିଷ୍ଠାନଗତ ନିବେଶକମାନେ ଭାରତୀୟ ବଜାରରୁ ଧାରାବାହିକ ଭାବେ ଟଙ୍କା ଉଠାଇନେବା ମଧ୍ୟ ବଜାର ପତନକୁ ଆହୁରି ତୀବ୍ର କରିଛି। ବିଶେଷଜ୍ଞମାନଙ୍କ ମତରେ, ମଧ୍ୟପ୍ରାଚ୍ୟର ପରିସ୍ଥିତି ସୁଧାର ନ ହେଲେ ଆଗାମୀ ଦିନରେ ମଧ୍ୟ ବଜାରରେ ଅସ୍ଥିରତା ଜାରି ରହିପାରେ।