ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ଜାରି ରଖିଥିବା ଆମରଣ ଅନଶନ ଶେଷ କରିବାକୁ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସମ୍ମତି ପ୍ରକାଶ କରିଛନ୍ତି। ତେବେ ଏଥିପାଇଁ ସେ ସରକାରଙ୍କ ସମ୍ମୁଖରେ ଏକ ସର୍ତ୍ତ ରଖିଛନ୍ତି। ୱାଙ୍ଗଚୁକଙ୍କ କହିବା ଅନୁଯାୟୀ, CJPର ‘ସଂସଦ ଚଲୋ’ ଆନ୍ଦୋଳନରେ ସାମିଲ ପ୍ରଦର୍ଶନକାରୀଙ୍କ ବିରୋଧରେ କୌଣସି ନୂଆ ଆଇନଗତ କାର୍ଯ୍ୟାନୁଷ୍ଠାନ ନକରାଯିବ ବୋଲି ସରକାର ନିଶ୍ଚିତତା ଦେଲେ ସେ ଅନଶନ ଭାଙ୍ଗିବେ।
ୱାଙ୍ଗଚୁକ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଓ ଜିତେନ୍ଦ୍ର ସିଂହ ମେଦାନ୍ତ ହସ୍ପିଟାଲରେ ତାଙ୍କୁ ଭେଟି ତାଙ୍କର ପୂର୍ବ ଦାବିଗୁଡ଼ିକ ଉପରେ ସରକାର ବିଚାର କରୁଥିବା କହିଥିଲେ। ଏହା ପରେ ସେ ଉଭୟ ନେତାଙ୍କୁ ଧନ୍ୟବାଦ ଜଣାଇଥିବା ସହ ଏକ ଚିଠି ମାଧ୍ୟମରେ ନିଜର ଅବସ୍ଥାନ ସ୍ପଷ୍ଟ କରିଛନ୍ତି।
ଚିଠିରେ ୱାଙ୍ଗଚୁକ ଲେଖିଛନ୍ତି ଯେ, ସରକାର ତାଙ୍କର ପୂର୍ବ ଦାବିଗୁଡ଼ିକ ଉପରେ ବିଚାର କରୁଛନ୍ତି ବୋଲି ଆଶ୍ୱାସନ ଦେଇଛନ୍ତି। ସେହି ଦାବି ମଧ୍ୟରେ ନିଟ୍ ପେପର୍ ଲିକ୍ ଘଟଣା ପରେ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ପରିବାରକୁ କ୍ଷତିପୂରଣ, ସଂସଦରେ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ସାମିଲ ରହିଛି।
ସେ ଆହୁରି କହିଛନ୍ତି ଯେ, ପୁଲିସ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ‘ଚଲୋ ସଂସଦ’ ପଦଯାତ୍ରା ଶାନ୍ତିପୂର୍ଣ୍ଣ ରହିଥିଲା ଏବଂ ଆନ୍ଦୋଳନକାରୀମାନେ ଗଣତାନ୍ତ୍ରିକ ପଦ୍ଧତିରେ ନିଜର ଦାବି ଉପସ୍ଥାପନ କରିଥିଲେ। ସେମାନଙ୍କ ବିରୋଧରେ ଅତିରିକ୍ତ ଆଇନଗତ ମାମଲା ରୁଜୁ ନକରାଯାଉ ବୋଲି ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।
ୱାଙ୍ଗଚୁକ କହିଛନ୍ତି ଯେ, ସେ ଅନଶନ ଶେଷ କରି ସାଧାରଣ ଜୀବନକୁ ଫେରିବାକୁ ଚାହୁଁଛନ୍ତି। ପ୍ରାୟ ୬୫ ଜଣ ସାଂସଦ ତାଙ୍କୁ ଚିଠି ଲେଖି ଅନଶନ ଭାଙ୍ଗିବାକୁ ଅନୁରୋଧ କରିଥିବା ସହ ଦେଶ ପାଇଁ ତାଙ୍କର ଆହୁରି ଅନେକ କାର୍ଯ୍ୟ ବାକି ରହିଛି ବୋଲି କହିଥିବା ଉଲ୍ଲେଖ କରିଛନ୍ତି।
ତେବେ ସେ ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ଛାତ୍ରଛାତ୍ରୀ ଓ ଆନ୍ଦୋଳନକାରୀଙ୍କ ସ୍ୱାର୍ଥ ପାଇଁ ଏହି ଅଭିଯାନ ଆରମ୍ଭ ହୋଇଥିଲା, ସେମାନଙ୍କ କ୍ଷତି ହେବା ଭଳି କୌଣସି ପରିସ୍ଥିତିରେ ସେ ଅନଶନ ଶେଷ କରିବେ ନାହିଁ।




