ନୂଆଦିଲ୍ଲୀ: କିଛିଦିନ ଧରି ଅଗ୍ରଗତି ଧୀର ରହିବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୁଣି ସକ୍ରିୟ ହୋଇଥିବା ସଙ୍କେତ ମିଳିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ କେରଳରେ ପ୍ରବେଶ କରିପାରେ। ଏହା ସହ ତାମିଲନାଡୁର କିଛି ଅଞ୍ଚଳକୁ ମଧ୍ୟ କଭର କରିବାର ସମ୍ଭାବନା ରହିଛି।
ସାଧାରଣତଃ ମୌସୁମୀ ଜୁନ୍ ୧ରେ କେରଳ ଛୁଏ। କିନ୍ତୁ ଚଳିତ ବର୍ଷ ଏହାର ଅଗ୍ରଗତି କିଛିଦିନ ଧରି ଧୀର ରହିଥିଲା। ଶ୍ରୀଲଙ୍କା ଓ ବଙ୍ଗୋପସାଗର ଅଞ୍ଚଳରେ ଅଟକି ରହିବାରୁ ଆଗମନ ତାରିଖ ଘୁଞ୍ଚିଥିଲା। ବର୍ତ୍ତମାନ ପରିସ୍ଥିତି ଅନୁକୂଳ ହେଉଥିବାରୁ ମୌସୁମୀ ପୁଣି ଆଗକୁ ବଢ଼ିବା ନେଇ ସମ୍ଭାବନା ବଢ଼ିଛି।
ପାଣିପାଗ ବିଭାଗ ଅନୁଯାୟୀ, ଜୁନ୍ ୩ରୁ ପର୍ବତମାଳା ଅଞ୍ଚଳରେ ଏକ ନୂତନ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ସକ୍ରିୟ ହେବ, ଯାହାର ପ୍ରଭାବରେ ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟର କିଛି ଅଞ୍ଚଳରେ ବର୍ଷା ହୋଇପାରେ। ଦକ୍ଷିଣ ଭାରତରେ ମଧ୍ୟ କିଛି ସ୍ଥାନରେ ଭାରି ବର୍ଷା ସମ୍ଭାବନା ରହିଛି।
ଅନ୍ୟପଟେ, ପୂର୍ବ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଆଗାମୀ ୩–୪ ଦିନ ବର୍ଷା କମ୍ ରହିପାରେ ଏବଂ ପାଗ ଅଧିକାଂଶ ସ୍ଥାନରେ ଶୁଖିଲା ରହିବାର ଆଶଙ୍କା ଅଛି। ତେବେ ପରବର୍ତ୍ତୀ ସମୟରେ ବର୍ଷାର ପରିମାଣ ବଢ଼ିପାରେ।
ଏହି ସମୟରେ ଉତ୍ତର ଭାରତର ଲୋକମାନଙ୍କୁ ତୀବ୍ର ଗ୍ରୀଷ୍ମ ପ୍ରବାହରୁ କିଛି ଆଶ୍ୱସ୍ତି ମିଳିଛି। ପାଣିପାଗ ବିଭାଗ କହିଛି, ଆସନ୍ତା ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ତୀବ୍ର ଲୁ ବହିବାର ସମ୍ଭାବନା ନାହିଁ।
ଏହା ସହିତ ଉତ୍ତର–ପୂର୍ବ ଭାରତ ଏବଂ ଦକ୍ଷିଣ ଉପଦ୍ୱୀପ ଅଞ୍ଚଳରେ ପୃଥକ ପୃଥକ ଭାବେ ପ୍ରବଳ ବର୍ଷା, ଝଡ଼ବର୍ଷା ଓ ଘଣ୍ଟାପ୍ରତି ୭୦ କିଲୋମିଟର ବେଗର ପବନ ବହିବାର ସମ୍ଭାବନା ନେଇ ସତର୍କତା ଜାରି କରାଯାଇଛି।




