ନୂଆଦିଲ୍ଲୀ: ଜଣେ ଅଭିଯୁକ୍ତଙ୍କ ଆଗୁଆ ଜାମିନ (ଆଣ୍ଟିସିପେଟୋରି ବେଲ୍) ଆବେଦନକୁ କୋର୍ଟ ଖାରଜ କରିପାରିବେ, କିନ୍ତୁ ତାଙ୍କୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେବାର ଅଧିକାର କୋର୍ଟଙ୍କ ପାଖରେ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ସ୍ପଷ୍ଟ କରିଛନ୍ତି।

ଠକେଇ ଓ ଜାଲିଆତି ସମ୍ପର୍କିତ ଏକ ମାମଲାରେ ଅଭିଯୁକ୍ତଙ୍କ ଆବେଦନର ଶୁଣାଣି ସମୟରେ ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଓ ଉଜ୍ଜ୍ବଳ ଭୂୟାଁଙ୍କ ଖଣ୍ଡପୀଠ ଏହି ମତ ପ୍ରକାଶ କରିଥିଲେ।

ଝାଡଖଣ୍ଡ ହାଇକୋର୍ଟ ଏହି ମାମଲାରେ ଅଭିଯୁକ୍ତଙ୍କ ଦ୍ୱିତୀୟ ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲେ। ସେଥିସହ ତଳ କୋର୍ଟରେ ଆତ୍ମସମର୍ପଣ କରି ସାଧାରଣ ଜାମିନ ପାଇଁ ଆବେଦନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ତାଙ୍କ ପ୍ରଥମ ଆବେଦନ ମଧ୍ୟ ଖାରଜ ହୋଇଥିଲା।

ଏହି ପରିପ୍ରେକ୍ଷ୍ୟରେ ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଆଗୁଆ ଜାମିନ ଖାରଜ କରିବା କୋର୍ଟର ବୈଧ ଅଧିକାର ମଧ୍ୟରେ ପଡ଼େ, କିନ୍ତୁ ଅଭିଯୁକ୍ତଙ୍କୁ ବଳପୂର୍ବକ ଆତ୍ମସମର୍ପଣ କରାଇବାକୁ ନିର୍ଦ୍ଦେଶ ଦେବା ଆଇନଗତ ଭାବେ ଠିକ୍‌ ନୁହେଁ। ଏହିପରି ନିର୍ଦ୍ଦେଶକୁ ସୁପ୍ରିମ୍‌କୋର୍ଟ ‘ଅଧିକାରବିହୀନ’ ବୋଲି ମତ ପ୍ରକାଶ କରିଛନ୍ତି।