ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଦିଲ୍ଲୀ-ଏନ୍ସିଆର୍ରେ ବାଣ ବିକ୍ରି ଉପରେ କଟକଣା ଜାରି ହୋଇଥିବା ସତ୍ତ୍ୱେ ବିଭିନ୍ନ ବଜାରରେ ବେଆଇନ ଓ ପାରମ୍ପରିକ ବାଣ ଖୋଲାଖୋଲି ବିକ୍ରି ହେଉଥିବା ଖବରକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଏହି ଅଭିଯୋଗ ଉପରେ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର, ଦିଲ୍ଲୀ ସରକାର ଓ ପୁଲିସକୁ ନିୟମର କଡ଼ା ଅନୁପାଳନ ସୁନିଶ୍ଚିତ କରିବାକୁ କହିଛନ୍ତି।
ମଙ୍ଗଳବାର ବିଚାରପତି ଏମ୍ଏମ୍ ସୁନ୍ଦରେଶ ଓ ପ୍ରସନ୍ନ ବି. ବରାଲେଙ୍କ ଖଣ୍ଡପୀଠ ଏକ ଖବରକାଗଜରେ ପ୍ରକାଶିତ ରିପୋର୍ଟକୁ ଉଲ୍ଲେଖ କରିଥିଲେ। ଏଥିରେ ଦିଲ୍ଲୀର ବିଭିନ୍ନ ବଜାରରେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିଭିନ୍ନ ପ୍ରକାରର ବାଣ ବିକ୍ରି ହେଉଥିବା ଦର୍ଶାଯାଇଥିଲା। ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ୍ ଐଶ୍ୱର୍ଯ୍ୟା ଭାଟିଙ୍କୁ ଏହି ରିପୋର୍ଟ ଉପରେ ଦୃଷ୍ଟି ଦେବା ସହ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ।
QR କୋଡ୍ ଥାଉ କି ନଥାଉ, ବଜାରରେ ସବୁ ପ୍ରକାର ବାଣ!
ଖଣ୍ଡପୀଠ କହିଥିଲେ ଯେ, ଖବରକାଗଜରେ ପ୍ରକାଶିତ ଫଟୋ ଓ ରିପୋର୍ଟ ଅନୁସାରେ ବଜାରରେ ଲାଇସେନ୍ସପ୍ରାପ୍ତ, ବେଆଇନ, QR କୋଡ୍ ଥିବା ଓ ନଥିବା ସବୁ ପ୍ରକାର ବାଣ ଉପଲବ୍ଧ ରହିଛି। କୋର୍ଟଙ୍କ ନିର୍ଦ୍ଦେଶ ପରଦିନ ମଧ୍ୟ ଯଦି ଏପରି ଅବସ୍ଥା ରହିଛି, ତେବେ ନିୟମ କାର୍ଯ୍ୟକାରିତାରେ ତ୍ରୁଟି ଥିବା ସ୍ପଷ୍ଟ ହେଉଛି ବୋଲି ଖଣ୍ଡପୀଠ ଉଦ୍ବେଗ ପ୍ରକାଶ କରିଥିଲେ।
କେବଳ ଗ୍ରୀନ୍ କ୍ରାକର୍ସ ବିକ୍ରିକୁ ଅନୁମତି
ଅକ୍ଟୋବର ୨୯ ତାରିଖର ଆଦେଶରେ ସୁପ୍ରିମକୋର୍ଟ ଦିଲ୍ଲୀ-ଏନ୍ସିଆର୍ରେ ସୀମିତ ସମୟ ପାଇଁ ପ୍ରମାଣିତ ଗ୍ରୀନ୍ କ୍ରାକର୍ସ ଉତ୍ପାଦନ ଓ ବିକ୍ରିକୁ ଅନୁମତି ଦେଇଥିଲେ। ନଭେମ୍ବର ୪ରୁ ୬ ତାରିଖ ମଧ୍ୟରେ ନିର୍ଦ୍ଧାରିତ ସ୍ଥାନରେ କେବଳ ଅନୁମୋଦିତ ଗ୍ରୀନ୍ କ୍ରାକର୍ସ ବିକ୍ରି ହୋଇପାରିବ। ଏହି ବାଣ ନଭେମ୍ବର ୭ ଓ ୮ ତାରିଖରେ କେବଳ ସକାଳ ୬ଟାରୁ ୭ଟା ଏବଂ ରାତି ୮ଟାରୁ ୧୦ଟା ମଧ୍ୟରେ ଫୁଟାଇବାକୁ ଅନୁମତି ରହିଛି।
ଏହି ବାଣଗୁଡ଼ିକ କାଉନ୍ସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ-ନ୍ୟାସନାଲ୍ ଏନ୍ଭାଇରନ୍ମେଣ୍ଟାଲ୍ ଇଞ୍ଜିନିୟରିଂ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ (CSIR-NEERI) ଓ ପେଟ୍ରୋଲିୟମ୍ ଆଣ୍ଡ ଏକ୍ସପ୍ଲୋସିଭ୍ସ ସେଫ୍ଟି ଅର୍ଗାନାଇଜେସନ୍ (PESO) ଦ୍ୱାରା ପ୍ରମାଣିତ ହୋଇଥିବା ଆବଶ୍ୟକ। ପ୍ରତ୍ୟେକ ବାଣ ପ୍ୟାକେଟ୍ରେ ଯାଞ୍ଚଯୋଗ୍ୟ ସ୍ୱତନ୍ତ୍ର QR କୋଡ୍ ରହିବା ବାଧ୍ୟତାମୂଳକ। ଅନଲାଇନ୍ରେ ବାଣ ବିକ୍ରି ଉପରେ ମଧ୍ୟ କଟକଣା ଲଗାଯାଇଛି।
ଏହାସହ ବାଣର ମାଳା ବା ଲଡ଼ି ଏବଂ ବେରିୟମ୍ଯୁକ୍ତ ବାଣର ଉତ୍ପାଦନ ଓ ବିକ୍ରି ଉପରେ ନିଷେଧ ରହିଛି। ନଭେମ୍ବର ୯ ତାରିଖରୁ ପୁଣି ଥରେ ଦିଲ୍ଲୀ-ଏନ୍ସିଆର୍ରେ ସମସ୍ତ ପ୍ରକାର ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ ହେବ।
ବେଆଇନ ବାଣ ଜବତ ସହ ଦୋଷୀଙ୍କ ବିରୋଧରେ ମାମଲା
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଜିଲ୍ଲା ପ୍ରଶାସନ ଓ ପୁଲିସ ମିଳିତ ଭାବେ ନିର୍ଦ୍ଧାରିତ ବିକ୍ରି ସ୍ଥଳରେ ନିୟମିତ ଯାଞ୍ଚ କରିବେ। ଦିଲ୍ଲୀ-ଏନ୍ସିଆର୍କୁ ପ୍ରବେଶ କରୁଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରି ବେଆଇନ ଓ ପାରମ୍ପରିକ ବାଣର ଚାଲାଣ ରୋକିବାକୁ କୁହାଯାଇଛି। ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟୀ ଓ ଉତ୍ପାଦନକାରୀଙ୍କଠାରୁ ବାଣ ଜବତ କରିବା ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ।
କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ନିୟମ ଉଲ୍ଲଂଘନ କରୁଥିବା ବାଣ ବ୍ୟବସାୟୀ ଓ ଉତ୍ପାଦନକାରୀଙ୍କ ଲାଇସେନ୍ସ ବାତିଲ୍ କରାଯାଇପାରିବ। ନିର୍ଦ୍ଦେଶର ଅନୁପାଳନ ନେଇ ସମ୍ପୃକ୍ତ ସରକାରୀ ବିଭାଗଗୁଡ଼ିକୁ ଡିସେମ୍ବର ୧୪ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ପଡ଼ିବ।
ଦୀପାବଳି ପରେ ବାୟୁ ପ୍ରଦୂଷଣର ପ୍ରଭାବ ଓ ହସ୍ପିଟାଲ୍ରେ ରୋଗୀଙ୍କ ଭର୍ତ୍ତି ସଂଖ୍ୟା ଉପରେ ମଧ୍ୟ ନଜର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାଣ ଫୁଟାଇବା ଓ ପ୍ରଦୂଷଣ ନିୟନ୍ତ୍ରଣ ସମ୍ପର୍କରେ ଜନସଚେତନତା ବଢ଼ାଇବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।




