ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ ଦିଲ୍ଲୀରେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବେ ସୁପ୍ରିମକୋର୍ଟ। ମଙ୍ଗଳବାର ଏନେଇ ସର୍ବୋଚ୍ଚ ଅଦାଲତ ସଙ୍କେତ ଦେଇଛନ୍ତି।
ପ୍ରସ୍ତାବିତ କମିଟିରେ ଜଣେ ଅବସରପ୍ରାପ୍ତ ବିଚାରପତି, ପୂର୍ବତନ ଡିଜିପି, ପୂର୍ବତନ ସିବିଆଇ ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ସଦସ୍ୟଙ୍କୁ ସାମିଲ କରାଯିବ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍ଚୀ ଓ ବିଚାରପତି ଭି. ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ବିଭିନ୍ନ ପକ୍ଷଙ୍କଠାରୁ କମିଟିର ଅନ୍ୟ ସଦସ୍ୟଙ୍କ ନାମ ସମ୍ପର୍କରେ ପ୍ରସ୍ତାବ ମିଳିବା ପରେ ଏନେଇ ଚୂଡ଼ାନ୍ତ ଆଦେଶ ଜାରି କରାଯିବ।
ହିଂସାର ଭିଡିଓ ଓ ସିସିଟିଭି ଯାଞ୍ଚ ହେବ
ଗତ ଜୁଲାଇ ୨୦ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ସଂସଦ ଅଭିଯାନ ଶୋଭାଯାତ୍ରା ସମୟରେ ଘଟିଥିବା ହିଂସାର ଭିଡିଓ ଫୁଟେଜ୍ ଓ ସିସିଟିଭି ରେକର୍ଡିଂ ମଧ୍ୟ ଯାଞ୍ଚ କରାଯିବ। ଏହି ସମସ୍ତ ରେକର୍ଡକୁ ପ୍ରସ୍ତାବିତ ଉଚ୍ଚସ୍ତରୀୟ କମିଟିକୁ ହସ୍ତାନ୍ତର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବେ।
ଏଥିସହ ଦିଲ୍ଲୀ ସମେତ ଅନ୍ୟାନ୍ୟ ଅଞ୍ଚଳରେ ବିକ୍ଷୋଭ ଓ ଶୋଭାଯାତ୍ରା ସମୟରେ ମହିଳା ଆନ୍ଦୋଳନକାରୀଙ୍କୁ ଟାର୍ଗେଟ୍ କରାଯାଇଥିବା ଅଭିଯୋଗର ମଧ୍ୟ ତଦନ୍ତ କରିବ କମିଟି।
ଛାତ୍ରଙ୍କ ବିରୋଧରେ ଏଫ୍ଆଇଆର୍ ନେଇ ତଥ୍ୟ ମାଗିଲେ
ଆନ୍ଦୋଳନ ସହ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍ଆଇଆର୍ ସମ୍ପର୍କରେ ମଧ୍ୟ ସୁପ୍ରିମକୋର୍ଟ ତଥ୍ୟ ମାଗିଛନ୍ତି। ଏଫ୍ଆଇଆର୍ଗୁଡ଼ିକୁ ରଦ୍ଦ କରିବା ସମ୍ଭାବନା ନେଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କଠାରୁ ଖଣ୍ଡପୀଠ ସବିଶେଷ ତଥ୍ୟ ଚାହିଁଛନ୍ତି।
ଏହାଦ୍ୱାରା ଆବଶ୍ୟକ ହେଲେ ସମ୍ବିଧାନର ଧାରା ୧୪୨ ଅନ୍ତର୍ଗତ ନିଜର ସମ୍ପୂର୍ଣ୍ଣ କ୍ଷମତା ପ୍ରୟୋଗ କରିବାର ବାଟ ଖୋଲିବ ବୋଲି ଖଣ୍ଡପୀଠ ସୂଚାଇଛନ୍ତି।




