ଚେନ୍ନାଇ: ତାମିଲନାଡୁର ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ ନେତୃତ୍ୱାଧୀନ ସରକାର। ଏଣିକି ତୃତୀୟ ସନ୍ତାନ ଜନ୍ମ ପାଇଁ ମଧ୍ୟ ମହିଳା ସରକାରୀ କର୍ମଚାରୀଙ୍କୁ ୩୬୫ ଦିନ ଅର୍ଥାତ୍‌ ଏକ ବର୍ଷର ମାତୃତ୍ୱ ଛୁଟି ମିଳିବ।

ପୂର୍ବରୁ ତୃତୀୟ ସନ୍ତାନ ପାଇଁ ମାତୃତ୍ୱ ଛୁଟିର ସୀମା ୧୨ ସପ୍ତାହ ଥିଲା। ନୂଆ ନିଷ୍ପତ୍ତି ପରେ ତୃତୀୟ ସନ୍ତାନ ପାଇଁ ମଧ୍ୟ ପ୍ରଥମ ଦୁଇ ସନ୍ତାନଙ୍କ ଭଳି ଏକ ବର୍ଷର ଛୁଟି ମିଳିବ ବୋଲି ଘୋଷଣା କରାଯାଇଛି।

ମଙ୍ଗଳବାର ତାମିଲନାଡୁ ବିଧାନସଭାରେ ଏନେଇ ଘୋଷଣା କରାଯାଇଛି। ସରକାର ମହିଳା କଲ୍ୟାଣ ଓ ସଶକ୍ତୀକରଣକୁ ପ୍ରାଥମିକତା ଦେଉଥିବାରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।

ମାତୃତ୍ୱ ଛୁଟିର ନିୟମରେ ପରିବର୍ତ୍ତନ

ତାମିଲନାଡୁରେ ପୂର୍ବ ବ୍ୟବସ୍ଥା ଅନୁସାରେ ଦୁଇରୁ କମ୍‌ ଜୀବିତ ସନ୍ତାନ ଥିବା ବିବାହିତ ମହିଳା ସରକାରୀ କର୍ମଚାରୀଙ୍କୁ ସର୍ବାଧିକ ୩୬୫ ଦିନ ମାତୃତ୍ୱ ଛୁଟି ମିଳୁଥିଲା। ଦୁଇ କିମ୍ବା ତା’ଠାରୁ ଅଧିକ ଜୀବିତ ସନ୍ତାନ ଥିଲେ ତୃତୀୟ ସନ୍ତାନ ପାଇଁ ଛୁଟି ୧୨ ସପ୍ତାହରେ ସୀମିତ ଥିଲା।

ତେବେ ଏହି ପ୍ରସଙ୍ଗରେ ଆଇନଗତ ସ୍ଥିତି ମଧ୍ୟ ନିକଟରେ ବଦଳିଛି। ୨୦୨୫ରେ ସୁପ୍ରିମକୋର୍ଟ ତୃତୀୟ ସନ୍ତାନ ପାଇଁ ମାତୃତ୍ୱ ସୁବିଧାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଏହା ପରେ ତାମିଲନାଡୁ ସରକାର ୨୦୨୬ ମାର୍ଚ୍ଚରେ ଫଣ୍ଡାମେଣ୍ଟାଲ୍‌ ରୁଲ୍‌ ୧୦୧(ଏ)ରେ ସଂଶୋଧନ କରି ଦୁଇ କିମ୍ବା ତା’ଠାରୁ ଅଧିକ ଜୀବିତ ସନ୍ତାନ ଥିବା ମହିଳାଙ୍କ ପାଇଁ ତୃତୀୟ ସନ୍ତାନ ସମୟରେ ୧୨ ସପ୍ତାହର ମାତୃତ୍ୱ ଛୁଟି ବ୍ୟବସ୍ଥା କରିଥିଲେ।

ଏବେ ତୃତୀୟ ସନ୍ତାନ ପାଇଁ ମଧ୍ୟ ୩୬୫ ଦିନ ଛୁଟି ଘୋଷଣା ହେବା ଫଳରେ ରାଜ୍ୟର ମହିଳା ସରକାରୀ କର୍ମଚାରୀମାନେ ବଡ଼ ସୁବିଧା ପାଇବେ।

୩୬୫ ଦିନକୁ ବୃଦ୍ଧି ପାଇଛି ଛୁଟି

ତାମିଲନାଡୁରେ ମାତୃତ୍ୱ ଛୁଟିର ଅବଧି ପୂର୍ବରୁ ୯୦ ଦିନ ଥିଲା। ୨୦୧୧ରେ ଏହାକୁ ୬ ମାସ ଏବଂ ୨୦୧୬ରେ ୯ ମାସକୁ ବୃଦ୍ଧି କରାଯାଇଥିଲା। ପରେ ୨୦୨୧ ଜୁଲାଇରେ ଯୋଗ୍ୟ ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ଏହାକୁ ୩୬୫ ଦିନ କରାଯାଇଥିଲା।