ନୂଆଦିଲ୍ଲୀ: ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଡାଲମିଆ ସିମେଣ୍ଟ ପାଇଁ ହେବାକୁ ଥିବା ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ରଦ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ। ଅନୁସୂଚିତ ଅଞ୍ଚଳରେ ଜମି ଅଧିଗ୍ରହଣ ପୂର୍ବରୁ ସମ୍ପୃକ୍ତ ଗ୍ରାମସଭାର ସହମତି ନେବା ବାଧ୍ୟତାମୂଳକ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏହି ସର୍ତ୍ତ ପାଳନ ନକରି ଜମି ଅଧିଗ୍ରହଣ କରାଯାଇଥିବାରୁ ସମଗ୍ର ପ୍ରକ୍ରିୟାକୁ ଅବୈଧ ଘୋଷଣା କରାଯାଇଛି।

ନଭେମ୍ବର ୧୮ ତାରିଖରେ ବିଚାରପତି ଦୀପଙ୍କର ଦତ୍ତ ଓ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ‘ବିବୋଲ ଟପ୍ପୋ ଓ ଅନ୍ୟମାନେ ବନାମ ଓଡ଼ିଶା ସରକାର ଓ ଅନ୍ୟମାନେ’ ମାମଲାରେ ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟଙ୍କ ୨୦୨୪ ସେପ୍ଟେମ୍ବର ୬ର ରାୟକୁ ମଧ୍ୟ ଖାରଜ କରିଛନ୍ତି।

କେଉଁ ଜମିକୁ ନେଇ ଥିଲା ବିବାଦ?

ସୁନ୍ଦରଗଡ଼ ଜିଲ୍ଲାର କୁକୁଡ଼ା, ବିହାବନ୍ଧ ଓ ଲାଞ୍ଜିବେର୍ଣ୍ଣା ଗାଁର ପ୍ରାୟ ୨୭୩.୫୭ ହେକ୍ଟର ଜମିକୁ ନେଇ ଏହି ବିବାଦ ଉପୁଜିଥିଲା। ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ୍‌କୁ ଏହି ଅଞ୍ଚଳରେ ଖଣି କାର୍ଯ୍ୟ ପାଇଁ ପୂର୍ବରୁ ଖଣି ଲିଜ୍‌ ମିଳିଥିଲା। କିନ୍ତୁ ଖଣି କାର୍ଯ୍ୟ ଆଗକୁ ବଢ଼ାଇବା ପାଇଁ ଜମିର ଉପରିଭାଗ ଉପରେ ଅଧିକାର ଆବଶ୍ୟକ ଥିବାରୁ କମ୍ପାନି ଜମି ଅଧିଗ୍ରହଣ ପ୍ରସ୍ତାବ ଦେଇଥିଲା।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ୨୦୨୦ ଜାନୁଆରି ୨୬ରେ ସମ୍ପୃକ୍ତ ଗ୍ରାମସଭାଗୁଡ଼ିକ ଜମି ଅଧିଗ୍ରହଣ ପ୍ରସ୍ତାବକୁ ବିରୋଧ କରି ପ୍ରସ୍ତାବ ପାରିତ କରିଥିଲେ। ତଥାପି ସରକାର ଅଧିଗ୍ରହଣ ପ୍ରକ୍ରିୟା ଆଗକୁ ବଢ଼ାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ତିନି ଗାଁର ବାସିନ୍ଦା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଗ୍ରାମସଭାର ସହମତି ଅନିବାର୍ଯ୍ୟ

ଜମି ଅଧିଗ୍ରହଣ, ପୁନର୍ବାସ ଓ ପୁନଃସ୍ଥାପନରେ ଉଚିତ କ୍ଷତିପୂରଣ ଏବଂ ସ୍ୱଚ୍ଛତା ଅଧିକାର ଆଇନ, ୨୦୧୩ର ଧାରା ୪୧(୩)କୁ ଉଲ୍ଲେଖ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଅନୁସୂଚିତ ଅଞ୍ଚଳରେ ଜମି ଅଧିଗ୍ରହଣ ପାଇଁ ସମ୍ପୃକ୍ତ ଗ୍ରାମସଭାର ପୂର୍ବ ସହମତି ନେବା ଆବଶ୍ୟକ। ଏହାକୁ କେବଳ ପରାମର୍ଶ ବା ଔପଚାରିକତା ଭାବେ ଗ୍ରହଣ କରାଯାଇପାରିବ ନାହିଁ।

ଏହା ସହ ଘରୋଇ କମ୍ପାନି ପାଇଁ ଜମି ଅଧିଗ୍ରହଣ କ୍ଷେତ୍ରରେ ୨୦୧୩ ଆଇନର ଧାରା ୨(୨)(b) ଅନୁଯାୟୀ ପ୍ରଭାବିତ ପରିବାରଙ୍କ ମଧ୍ୟରୁ ଅତିକମ୍‌ରେ ୮୦ ପ୍ରତିଶତଙ୍କ ସହମତି ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି। ସାମାଜିକ ପ୍ରଭାବ ଆକଳନ (SIA) ପ୍ରକ୍ରିୟା ସମୟରେ ଏହି ସହମତି ନିଆଯିବା ଉଚିତ। ପରବର୍ତ୍ତୀ ପର୍ଯ୍ୟାୟରେ ସହମତି ନେଇ ପୂର୍ବ ତ୍ରୁଟିକୁ ସୁଧାରିହେବ ନାହିଁ।

ସାମାଜିକ ପ୍ରଭାବ ଆକଳନରେ ମଧ୍ୟ ତ୍ରୁଟି

କୋର୍ଟ ସାମାଜିକ ପ୍ରଭାବ ଆକଳନ ପ୍ରକ୍ରିୟାରେ ମଧ୍ୟ ଅନିୟମିତତା ଥିବା ଦର୍ଶାଇଛନ୍ତି। ଆଇନ ଅନୁଯାୟୀ ଆବଶ୍ୟକ ଜନଶୁଣାଣି ହୋଇନଥିବା ଏବଂ ଆକଳନ କରୁଥିବା ବିଶେଷଜ୍ଞ ଦଳରେ କମ୍ପାନି ସହ ଜଡ଼ିତ ଜଣେ ପରାମର୍ଶଦାତାଙ୍କୁ ସାମିଲ କରାଯାଇଥିବା ନେଇ ମଧ୍ୟ କୋର୍ଟ ଆପତ୍ତି ଉଠାଇଛନ୍ତି। ଏହାଦ୍ୱାରା ଆକଳନ ପ୍ରକ୍ରିୟାର ସ୍ୱାଧୀନତା ଓ ନିରପେକ୍ଷତା ପ୍ରଭାବିତ ହୋଇଥିବା ମତ ଦେଇଛନ୍ତି।

ସୁପ୍ରିମକୋର୍ଟ ଜମି ଅଧିଗ୍ରହଣ ସମ୍ପର୍କିତ ବିଜ୍ଞପ୍ତି, ଆଦେଶ ଓ ଏହାର ପରବର୍ତ୍ତୀ ପଦକ୍ଷେପଗୁଡ଼ିକୁ ରଦ୍ଦ କରିଛନ୍ତି। ତେବେ ଆଇନର ସମସ୍ତ ବ୍ୟବସ୍ଥା ଓ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ରାଜ୍ୟ ସରକାର ଚାହିଁଲେ ନୂଆ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିପାରିବେ।

ଏହି ରାୟକୁ ଆଦିବାସୀ ଅଞ୍ଚଳରେ ଜମି ଅଧିକାର, ଗ୍ରାମସଭାର କ୍ଷମତା ଓ ଜନସାଧାରଣଙ୍କ ସମ୍ମତିର ଗୁରୁତ୍ୱ ସମ୍ପର୍କରେ ଏକ ବଡ଼ ଆଇନଗତ ନଜିର ଭାବେ ଦେଖାଯାଉଛି।