ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସ୍ୱତନ୍ତ୍ର ନିବିଡ଼ ସଂଶୋଧନ (SIR) ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ନେତାମାନଙ୍କୁ ପ୍ରାରମ୍ଭିକ ଝଟ্କା ଲାଗିଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ୧୦ ଜଣ ପ୍ରମୁଖ ନେତାଙ୍କ ଦ୍ୱାରା ଦାଖଲ କରାଯାଇଥିବା ରିଟ୍ ପିଟିସନରେ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ୧୪ଟି ପ୍ରଶାସନିକ ଓ ବୈଷୟିକ ତ୍ରୁଟି ଚିହ୍ନଟ କରିଛନ୍ତି।
ଅକ୍ଟୋବର ୧୨ ରେ ଡାଏରୀ ନମ୍ବର ୬୪୧୯୬/୨୦୨୬ ଅଧୀନରେ ଦାଖଲ ହୋଇଥିବା ଏହି ଆବେଦନରେ ବ୍ୟକ୍ତିଗତ ଭାବେ ପ୍ରତିପକ୍ଷ ଦର୍ଶାଯିବା, ୯ ଜଣ ଆବେଦନକାରୀଙ୍କ ଓକାଲାତନାମା ନଥିବା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ପରିଚୟ ପତ୍ରର ଅସ୍ପଷ୍ଟ ନକଲ ଏବଂ ୨୨୦ ଟଙ୍କାର କୋର୍ଟ ଫି କମ୍ ରହିଥିବା ନେଇ ରେଜିଷ୍ଟ୍ରି ଦର୍ଶାଇଛି। ଏହାସହ ନଥିପତ୍ରର ଛୋଟ ଅକ୍ଷର ଓ ଅସ୍ପଷ୍ଟତା ସମ୍ପର୍କରେ ମଧ୍ୟ ଆପତ୍ତି ଉଠାଯାଇଛି। ସୁପ୍ରିମକୋର୍ଟ ନିୟମାବଳୀ ଅନୁଯାୟୀ, ଏହି ତ୍ରୁଟିଗୁଡ଼ିକର ସୁଧାର ହେବା ପରେ ହିଁ ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇପାରିବ।
ଏହି ଆବେଦନରେ ଭୋଟର ତାଲିକାରୁ ବ୍ୟାପକ ନାମ କଟାଯିବା ଏବଂ ଅନିୟମିତତା ହୋଇଥିବା ଅଭିଯୋଗ କରାଯାଇଛି। ଆବେଦନକାରୀଙ୍କ ମଧ୍ୟରେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ୍ଗେ, ଅଖିଳେଶ ଯାଦବ, ତେଜସ୍ୱୀ ଯାଦବ, ସୌଗତ ରାୟ, ସଞ୍ଜୟ ରାଉତ, ସୁପ୍ରିୟା ସୁଲେ, ଏମ୍.ଏ. ବେବି, ଡି. ରାଜା, ମହୁଆ ମାଜି ଏବଂ ଇ.ଟି. ମହମ୍ମଦ ବଶୀର ସାମିଲ ଅଛନ୍ତି।
ଅନ୍ୟପଟେ, ନିର୍ବାଚନ ଆୟୋଗଙ୍କ ସମେତ ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାର ଏବଂ ନିର୍ବାଚନ ଆୟୁକ୍ତ ସୁଖବୀର ସିଂ ସାନ୍ଧୁ ଓ ବିବେକ ଯୋଶୀଙ୍କୁ ଏଥିରେ ପ୍ରତିପକ୍ଷ ଭାବେ ଦର୍ଶାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ସୋମବାର ‘ଇଣ୍ଡିଆ’ ମେଣ୍ଟର ନେତାମାନେ ସୁପ୍ରିମକୋର୍ଟ ଆଡ଼କୁ ଏକ ପ୍ରତିବାଦ ଶୋଭାଯାତ୍ରା କରିବା ସହ ନିର୍ବାଚନୀ ଅନିୟମିତତା ଅଭିଯୋଗରେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଇସ୍ତଫା ଦାବି କରିଥିଲେ। ଏହା ପୂର୍ବରୁ ଆବେଦନକାରୀ ନେତାମାନେ ଭାରତର ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟ କାନ୍ତଙ୍କ ସହ ସାକ୍ଷାତ ପାଇଁ ସମୟ ମାଗିଥିବା ବେଳେ, ସିଜେଆଇ ସେମାନଙ୍କୁ ବିଧିବଦ୍ଧ ଆବେଦନ ମାଧ୍ୟମରେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଥିଲେ।




