ନୂଆଦିଲ୍ଲୀ: ବିମାନ ଟିକଟ ମୂଲ୍ୟରେ ଅସ୍ୱାଭାବିକ ବୃଦ୍ଧି ଓ ଯାତ୍ରୀ ସ୍ୱାର୍ଥ ସୁରକ୍ଷା ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ‘ଭାରତୀୟ ବାୟୁଯାନ ଅଧିନିୟମ-୨୦୨୪’ର ଖସଡ଼ାକୁ ଦୁଇ ସପ୍ତାହ ମଧ୍ୟରେ ମୁଦ୍ରାଙ୍କିତ ଲଫାପାରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିନିୟମଟି ଏପର୍ଯ୍ୟନ୍ତ ସଂସଦରେ ଉପସ୍ଥାପିତ ହୋଇନଥିଲେ ମଧ୍ୟ କୋର୍ଟ ଏହାର ଖସଡ଼ା ଦେବାକୁ କହିଛନ୍ତି।

ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ସମାଜସେବୀ ଏସ୍‌. ଲକ୍ଷ୍ମୀନାରାୟଣନଙ୍କ ଦ୍ୱାରା ଦାଖଲ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ତାଙ୍କ ପିଟିସନରେ ବେସାମରିକ ବିମାନ ପରିବହନ କ୍ଷେତ୍ରରେ ଟିକଟ ମୂଲ୍ୟ ଉପରେ ନଜର ରଖିବା, ଯାତ୍ରୀଙ୍କ ଅଧିକାର ଓ ସୁରକ୍ଷା ସୁନିଶ୍ଚିତ କରିବା ସହ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏକ ସ୍ୱାଧୀନ ନିୟାମକ ସଂସ୍ଥା ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ।

ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଆଇନଜୀବୀ କୋର୍ଟଙ୍କୁ ଜଣାଇଥିଲେ ଯେ ‘ଭାରତୀୟ ବାୟୁଯାନ ଅଧିନିୟମ-୨୦୨୪’ର ଖସଡ଼ା ପ୍ରସ୍ତୁତ ହୋଇସାରିଛି। ବର୍ତ୍ତମାନ ଏହାର ଅନୁବାଦ କାର୍ଯ୍ୟ ଚାଲିଥିବାରୁ ସଂସଦରେ ଉପସ୍ଥାପନ ପୂର୍ବରୁ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଉଛି।

ଟିକଟ ଦର ବୃଦ୍ଧି ଓ ବ୍ୟାଗେଜ୍ ନିୟମକୁ ନେଇ ଆପତ୍ତି

ଆବେଦନକାରୀ କୋର୍ଟଙ୍କୁ ଜଣାଇଛନ୍ତି ଯେ ଘରୋଇ ବିମାନ ସେବା ସଂସ୍ଥାଗୁଡ଼ିକ ଚାହିଦା ବଢ଼ିଲେ ହଠାତ୍ ଟିକଟ ଦର ବଢ଼ାଇ ଦେଉଛନ୍ତି ଏବଂ ବିଭିନ୍ନ ନାମରେ ଅତିରିକ୍ତ ଶୁଳ୍କ ଆଦାୟ କରୁଛନ୍ତି। ସେ ଇକୋନମି ଶ୍ରେଣୀର ଯାତ୍ରୀଙ୍କ ପାଇଁ ମାଗଣା ଚେକ୍-ଇନ୍ ବ୍ୟାଗେଜ୍ ସୀମାକୁ ୨୫ କେଜିରୁ ୧୫ କେଜିକୁ କମାଇବା ନିଷ୍ପତ୍ତିକୁ ମଧ୍ୟ ବିରୋଧ କରିଛନ୍ତି।

ତାଙ୍କ କହିବା ଅନୁସାରେ, ଯାତ୍ରୀଙ୍କୁ କୌଣସି ଅତିରିକ୍ତ ସୁବିଧା ନ ଦେଇ ବ୍ୟାଗେଜ୍ ସୀମା କମାଇ ଦିଆଯାଇଛି। ସେହିପରି ବିମାନ ଟିକଟ ଦର ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ନିୟାମକ ସଂସ୍ଥା ନ ଥିବାରୁ ବିମାନ କମ୍ପାନୀମାନେ ମନଇଚ୍ଛା ମୂଲ୍ୟ ଧାର୍ଯ୍ୟ କରୁଛନ୍ତି। ବିଶେଷକରି ପର୍ବପର୍ବାଣି ଓ ଅଧିକ ଚାହିଦା ଥିବା ସମୟରେ ଟିକଟ ଦରରେ ବ୍ୟାପକ ବୃଦ୍ଧି ଦେଖିବାକୁ ମିଳୁଛି।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଆସନ୍ତା ଅଗଷ୍ଟ ୩ ତାରିଖ ଧାର୍ଯ୍ୟ କରିଛନ୍ତି।