ନୂଆଦିଲ୍ଲୀ: ଦେଶର ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଏବଂ ସଡ଼କ ଦୁର୍ଘଟଣା ଜନିତ ଚିକିତ୍ସା ବ୍ୟବସ୍ଥାରେ ଏକ ଐତିହାସିକ ସୁଧାର ଆଣିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ ନିଜ ରାୟରେ କହିଛନ୍ତି ଯେ, ଦୁର୍ଘଟଣା ପରବର୍ତ୍ତୀ ଜରୁରୀକାଳୀନ ଚିକିତ୍ସା ବା ‘ଟ୍ରମା କେୟାର’ ସମ୍ବିଧାନର ଧାରା ୨୧ (Article 21) ଅନୁଯାୟୀ ନାଗରିକଙ୍କ ମୌଳିକ ଜୀବନ ଜୀବିକା ରକ୍ଷା ଅଧିକାରର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏଥିସହ ସାରା ଦେଶରେ ଜରୁରୀକାଳୀନ ଭିତ୍ତିଭୂମିର କାୟାକଳ୍ପ ବଦଳାଇବା ପାଇଁ କୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।

ମାନ୍ୟବର ବିଚାରପତି ଜେ.କେ. ମାହେଶ୍ୱରୀ ଏବଂ ବିଚାରପତି ଏ.ଏସ. ଚାନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ:ଆସନ୍ତା ୩ ମାସ ମଧ୍ୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କର ସମସ୍ତ ଜରୁରୀକାଳୀନ ଏବଂ ଆମ୍ବୁଲାନ୍ସ ହେଲ୍ପଲାଇନ ନମ୍ବରକୁ ଏକୀକୃତ ହେଲ୍ପଲାଇନ ନମ୍ବର ‘112’ ସହ ସମ୍ପୂର୍ଣ୍ଣ ସଂଯୋଗ କରିବେ ।

କେନ୍ଦ୍ର ସରକାରଙ୍କ କ୍ୟାସଲେସ୍ ଚିକିତ୍ସା ଯୋଜନା ‘ପିଏମ ରାହାତ’ (PM RAHAT) କୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ କୋର୍ଟ କହିଛନ୍ତି ।ଦୁର୍ଘଟଣା ସମୟରେ ସାହାଯ୍ୟ କରୁଥିବା ବ୍ୟକ୍ତି ବା ‘ଗୁଡ୍ ସମାରିଟାନ’ ମାନଙ୍କ ସୁରକ୍ଷା ଓ ଅଭିଯୋଗର ସମାଧାନ ପାଇଁ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।”ଜରୁରୀ ସମୟରେ ତତ୍ପରତା ଦେଖାଇବା ହିଁ ପ୍ରକୃତ ଔଷଧ ସଦୃଶ,” ବୋଲି ସୁପ୍ରିମକୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି ।

ସାଧାରଣତଃ ଦୁର୍ଘଟଣା ସମୟରେ ଆଇନଗତ ପ୍ରକ୍ରିୟା ଏବଂ ପୋଲିସ ଝାମେଲାର ଭୟ ଯୋଗୁଁ ପ୍ରତ୍ୟକ୍ଷଦର୍ଶୀମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦେଇଥାନ୍ତି ।ଏହି ଭୟ ଦୂର କରିବା ପାଇଁ କୋର୍ଟ କହିଛନ୍ତି ଯେ, ୧ ମାସ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିଭିନ୍ନ ଭାଷାରେ ଗଣମାଧ୍ୟମ ଜରିଆରେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରନ୍ତୁ । ଏଥିରେ ‘ହେଲ୍ପଲାଇନ 112’ ଏବଂ ମୋଟର ଯାନ ଆକ୍ଟର ସେକସନ 134A ଅନୁଯାୟୀ ‘ଗୁଡ୍ ସମାରିଟାନ’ (ସାହାଯ୍ୟକାରୀ) ମାନଙ୍କୁ ମିଳୁଥିବା ଆଇନଗତ ସୁରକ୍ଷା ବିଷୟରେ ଲୋକଙ୍କୁ ଜଣାଯିବ ।

ସୁପ୍ରିମକୋର୍ଟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ୮ ସପ୍ତାହ ମଧ୍ୟରେ ଏକ ‘ଟ୍ରମା ରେଜିଷ୍ଟ୍ରି’ ପାଇଁ ମାନକ ଡାଟା ଫର୍ମାଟ୍ ପ୍ରସ୍ତୁତ କରିବାକୁ ଗାଇଡଲାଇନ ଜାରି କରିବାକୁ କହିଛନ୍ତି । ‘ସେଭ୍ ଲାଇଫ୍ ଫାଉଣ୍ଡେସନ’ ପକ୍ଷରୁ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୪ ମାସ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।