ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ବନଖଣ୍ଡ ଅଧୀନରେ ଥିବା ଧୋବଶିଳା ଅଞ୍ଚଳରେ ବେଆଇନ ମାଟି ଏବଂ ପଥର ଚାଲାଣ ରୋକିବାକୁ ଯାଇଥିବା ବନ ବିଭାଗ ଟିମ୍‌ ଉପରେ ସ୍ଥାନୀୟ ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ସରକାରୀ ଜଙ୍ଗଲ ଜମିରୁ ବେଆଇନ ଭାବେ ମାଟି ଖୋଳାଯାଇ ଗାଁ ରାସ୍ତା ନିର୍ମାଣରେ ବ୍ୟବହାର କରାଯାଉଥିବା ନେଇ ବନ ବିଭାଗକୁ ଖବର ମିଳିଥିଲା। ଉଚ୍ଚ ପଦାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ମହିଳା ବନ ସୁରକ୍ଷା କର୍ମୀ (ଫରେଷ୍ଟ ଗାର୍ଡ) ବାବିସ୍ମିତା ସାହୁ ଏବଂ ଜଣେ ଫରେଷ୍ଟର ଘଟଣାସ୍ଥଳରେ ଚଢ଼ାଉ ପାଇଁ ପହଞ୍ଚିଥିଲେ। ମାତ୍ର ବନ ବିଭାଗ ଟିମ୍‌ ପହଞ୍ଚିବା ପୂର୍ବରୁ ସେଠାରେ ୧୦୦ରୁ ଅଧିକ ଗ୍ରାମବାସୀ ଏକାଠି ହୋଇ ରହିଥିଲେ।

ବନ କର୍ମୀମାନେ ଚଢ଼ାଉ ପ୍ରକ୍ରିୟାର ଫଟୋ ଉଠାଉଥିବା ବେଳେ ଉତ୍ୟକ୍ତ ଗ୍ରାମବାସୀ ମହିଳା ଫରେଷ୍ଟ ଗାର୍ଡ ବାବିସ୍ମିତାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ। ଏତିକିରେ ନସରି, ରେଡ୍‌ ପାଇଁ ଯାଇଥିବା ଗାଡ଼ିଗୁଡ଼ିକୁ ମଧ୍ୟ ସ୍ଥାନୀୟ ଲୋକେ ଜବତ କରି ରଖିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ବନ କର୍ମୀମାନେ ନିଜ ଜୀବନ ବଞ୍ଚାଇବାକୁ ଯାଇ ଏକ ଦୁଇଚକିଆ ଯାନ ଛାଡ଼ି ସେଠାରୁ ପଳାଇ ଆସିଥିଲେ।

ମାତ୍ର କିଛି ଲୋକ ବେଆଇନ ଖନନ କାର୍ଯ୍ୟରେ ସାମିଲ ଥିବା ବେଳେ ଚଢ଼ାଉ ପୂର୍ବରୁ ଏତେ ସଂଖ୍ୟକ ଲୋକ କେମିତି ରୁଣ୍ଡ ହେଲେ, ସେ ନେଇ ବନ ବିଭାଗ ସନ୍ଦେହ ପ୍ରକଟ କରିଛି। ଏହା ଏକ ପୂର୍ବ ପ୍ରସ୍ତୁତ ଯୋଜନା ବୋଲି କୁହାଯାଉଛି। ରେଡ୍‌ ସମ୍ପର୍କିତ ସୂଚନା ଗ୍ରାମବାସୀଙ୍କୁ ପୂର୍ବରୁ ଲିକ୍ କରାଯାଇଥିବା ସନ୍ଦେହରେ ଜଣେ ବନ ଅଧିକାରୀଙ୍କ ମୋବାଇଲ୍ ଫୋନ୍ ଜବତ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ନୀଳଗିରି ଅଞ୍ଚଳରେ ବେଆଇନ ବାଲି ଓ ମାଟି ମାଫିଆଙ୍କୁ କିଛି ବନ କର୍ମୀ ସହଯୋଗ କରୁଥିବା ନେଇ ଅଭିଯୋଗ ଆସିଛି।