ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ରାଜ୍ୟର ଲୁଣ ଶ୍ରମିକ ପରିବାରଗୁଡ଼ିକ ପାଇଁ ଏକ ବଡ଼ ଏବଂ ଜନକଲ୍ୟାଣକାରୀ ନିଷ୍ପତ୍ତି ନେଇଛନ୍ତି। ବର୍ଷା ଋତୁରେ ଲୁଣ ଉତ୍ପାଦନ ବନ୍ଦ ରହୁଥିବାରୁ ଶ୍ରମିକ ପରିବାରଙ୍କୁ ଦିଆଯାଉଥିବା ବାର୍ଷିକ ମୌସୁମୀ ସହାୟତା ରାଶିକୁ ୫,୦୦୦ ଟଙ୍କାରୁ ୭,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ଫଳରେ ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ୨୩,୯୭୯ଟି ଲୁଣ ଶ୍ରମିକ ପରିବାର ସିଧାସଳଖ ଉପକୃତ ହେବେ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ରାଜକୋଷରୁ ମୋଟ ୧୬.୭୮ କୋଟି ଟଙ୍କା ଖର୍ଚ୍ଚ କରିବେ। ପରିବାର ପିଛା ସହାୟତା ରାଶିରେ ୨,୦୦୦ ଟଙ୍କାର ବୃଦ୍ଧି ପୂର୍ବ ରାଶି ତୁଳନାରେ ୪୦ ପ୍ରତିଶତ ଅଧିକ। ତାମିଲନାଡୁ ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଏବଂ କଲ୍ୟାଣ ବୋର୍ଡରେ ପଞ୍ଜୀକୃତ ହୋଇଥିବା ଯୋଗ୍ୟ ଲୁଣ ଶ୍ରମିକ ପରିବାରଗୁଡ଼ିକୁ ଏହି ବର୍ଦ୍ଧିତ ଆର୍ଥିକ ସହାୟତା ପ୍ରଦାନ କରାଯିବ।

ସରକାରୀ ସୂଚନା ମୁତାବକ, ଏହି ନିଷ୍ପତ୍ତି ଲୁଣ ଶ୍ରମିକମାନଙ୍କର ଦୀର୍ଘଦିନର ଦାବିକୁ ପୂରଣ କରିଛି। ଏହା ରାଜ୍ୟ ସରକାରଙ୍କ ‘ଭେଟ୍ରି ତାମିଲନାଡୁ ଭିଜନ୍’ ଅଭିଯାନର ଏକ ଅଂଶବିଶେଷ, ଯାହା ଅଧୀନରେ ଶ୍ରମିକମାନଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ୨୫, ୨୦୨୬ ତାରିଖରେ ବିଧାନସଭାରେ ଶିଳ୍ପ, ନିବେଶ ପ୍ରୋତ୍ସାହନ ଏବଂ ବାଣିଜ୍ୟ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ ଶିଳ୍ପ ମନ୍ତ୍ରୀ ଏହି ସହାୟତା ରାଶି ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଦ୍ୟତମ ନିର୍ଦ୍ଦେଶନାମା ସେହି ପ୍ରତିଶ୍ରୁତିକୁ ବାସ୍ତବ ରୂପ ଦେଇଛି।

ମୌସୁମୀ ସମୟରେ ପ୍ରବଳ ବର୍ଷା ଯୋଗୁଁ ଲୁଣ ମାରିବା କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥାଏ, ଯାହାଫଳରେ ଶ୍ରମିକମାନେ ନିଜର ନିୟମିତ ରୋଜଗାର ହରାଇଥାଆନ୍ତି। ଏହି ସମୟରେ ସେମାନଙ୍କ ପରିବାରର ଆର୍ଥିକ ସଙ୍କଟ ଦୂର କରିବା ଏବଂ ଜୀବିକା ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଆଗାମୀ ଦିନରେ ମଧ୍ୟ ପ୍ରତିବର୍ଷ ଏହି ବର୍ଦ୍ଧିତ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।