ମଦୁରାଇ: ତାମିଲନାଡୁର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ (C. Joseph Vijay) ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ସେପ୍ଟେମ୍ବର ୨୮ରେ ମଦୁରାଇ ଗସ୍ତ କରୁଛନ୍ତି। ଏହି ଅବସରରେ ସେ ମଦୁରାଇର ପ୍ରସିଦ୍ଧ ମୀନାକ୍ଷୀ ଅମ୍ମା ମନ୍ଦିର ଦର୍ଶନ କରିବା ସମ୍ଭାବନା ରହିଛି। ତେବେ ଗର୍ଭଗୃହରେ ପ୍ରବେଶ କରିବା ପୂର୍ବରୁ ତାଙ୍କୁ ହିନ୍ଦୁ ଧର୍ମ ପ୍ରତି ନିଜର ଆସ୍ଥା ପ୍ରକାଶ କରି ଏକ ବିଶ୍ୱାସପତ୍ରରେ ସ୍ୱାକ୍ଷର କରିବାକୁ ପଡ଼ିପାରେ ବୋଲି ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ମନ୍ଦିର ପ୍ରଶାସନ ଅନୁଯାୟୀ, ଦେବୀ ମୀନାକ୍ଷୀ ଓ ସୁନ୍ଦରେଶ୍ୱରଙ୍କ ଗର୍ଭଗୃହକୁ କେବଳ ହିନ୍ଦୁମାନଙ୍କ ପ୍ରବେଶ ପାଇଁ ଅନୁମତି ରହିଛି। ମାନ୍ଦ୍ରାଜ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ୍‌ଙ୍କ ନିର୍ଦ୍ଦେଶାନୁସାରେ, ଅଣ-ହିନ୍ଦୁମାନେ ହିନ୍ଦୁ ଧର୍ମ ଓ ଠାକୁରଙ୍କ ପ୍ରତି ଆସ୍ଥା ପ୍ରକଟ କରି ସ୍ୱାକ୍ଷର ଦେବା ପରେ ହିଁ ଦର୍ଶନ କରିପାରିବେ। ମୁଖ୍ୟମନ୍ତ୍ରୀ ବିଜୟ ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ ହୋଇଥିବାରୁ ତାଙ୍କୁ ଏହି ଫର୍ମରେ ସ୍ୱାକ୍ଷର କରିବାକୁ ପଡ଼ିପାରେ। ତେବେ ପୁଲିସ ପକ୍ଷରୁ କୁହାଯାଇଛି ଯେ, ମନ୍ଦିର ଗସ୍ତ ସରକାରୀ କାର୍ଯ୍ୟସୂଚୀରେ ନାହିଁ ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଉପରେ ନିର୍ଭର କରେ।

ରବିବାର ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ବିଜୟ ଏକ ସ୍ୱତନ୍ତ୍ର ବିମାନ ଯୋଗେ ମଦୁରାଇରେ ପହଞ୍ଚିବେ। ସେ ସରକାରୀ ରାଜାଜୀ ହସ୍ପିଟାଲ୍ ଯାଇ ନବଜାତ ଶିଶୁମାନଙ୍କ ପାଇଁ ‘ଥାଇ ମାମାନ୍ ଗୋଲ୍ଡ ରିଙ୍ଗ୍ ସ୍କିମ୍’ର ଶୁଭାରମ୍ଭ କରିବେ।

ଅପରାହ୍ନ ୧ଟାରେ ୧୦.୨୫ କୋଟି ଟଙ୍କା ବ୍ୟୟରେ ପୁନରୁଦ୍ଧାର କରାଯାଇଥିବା ଐତିହାସିକ ଗାନ୍ଧୀ ମ୍ୟୁଜିୟମ୍‌କୁ ଉଦ୍‌ଘାଟନ କରିବେ। ସବୁକିଛି ନିର୍ଦ୍ଧାରିତ ହେଲେ ଅପରାହ୍ନ ୪ଟାରେ ସେ ମନ୍ଦିର ଦର୍ଶନ କରିବେ, ଯେଉଁଠାରେ ତାଙ୍କୁ ପୂର୍ଣ୍ଣକୁମ୍ଭ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ।

ସୁରକ୍ଷା ଦୃଷ୍ଟିରୁ ବିମାନବନ୍ଦରରୁ ସହର ପର୍ଯ୍ୟନ୍ତ ବ୍ୟାପକ ବ୍ୟାରିକେଡ୍‌ ନିର୍ମାଣ କରାଯାଇଛି। ସନ୍ଧ୍ୟା ୫ଟାରେ ସେ ଚେନ୍ନାଇ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି।