ଚେନ୍ନାଇ: ତାମିଲନାଡୁର ଶାସକ ମେଣ୍ଟ ମଧ୍ୟରେ ପୁଣି ଥରେ ନୂଆ ବିବାଦ ସୃଷ୍ଟି ହୋଇଛି। ତାମିଲଗା ଭେଟ୍ରି କାଜାଗମ୍ (TVK) ପକ୍ଷରୁ ଚାଲିଥିବା “ବିଜୟ ଫର୍ PM” (Vijay for PM) ଅଭିଯାନକୁ ନେଇ କଂଗ୍ରେସ ଦୃଢ଼ ଆପତ୍ତି ପ୍ରକାଶ କରିଛି। ୨୦୨୯ ଲୋକସଭା ନିର୍ବାଚନରେ ଯଦି ଟିଭିକେ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଗ୍ରହଣ ନକରେ, ତେବେ ମୁଖ୍ୟମନ୍ତ୍ରୀ ଯୋସେଫ୍ ବିଜୟଙ୍କ ମନ୍ତ୍ରୀମଣ୍ଡଳରୁ କଂଗ୍ରେସ ନିଜର ମନ୍ତ୍ରୀମାନଙ୍କୁ ଓହରାଇ ନେବ ବୋଲି ଚେତାବନୀ ଦେଇଛି।
ରବିବାର କନ୍ୟାକୁମାରୀଠାରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ତାମିଲନାଡୁର ପର୍ଯ୍ୟଟନ ମନ୍ତ୍ରୀ ତଥା କଂଗ୍ରେସ ନେତା ଏସ୍ ରାଜେଶ କୁମାର ଏହି କଡ଼ା ଧମକ ଦେଇଛନ୍ତି। ସେ କହିଛନ୍ତି, “ଟିଭିକେର ସମସ୍ତ ମନ୍ତ୍ରୀ ଦାବି କରୁଛନ୍ତି ଯେ ଆମ ମୁଖ୍ୟମନ୍ତ୍ରୀ ବିଜୟ ଆଗାମୀ ପ୍ରଧାନମନ୍ତ୍ରୀ ହେବେ। ଗଣମାଧ୍ୟମର ପ୍ରଶ୍ନର ଜବାବରେ ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ୨୦୨୯ ନିର୍ବାଚନ ପରେ ଆମ ନେତା ରାହୁଲ ଗାନ୍ଧୀହିଁ ପ୍ରଧାନମନ୍ତ୍ରୀ ହେବେ। ଯଦି ଟିଭିକେ ଏହାକୁ ଗ୍ରହଣ ନକରେ, ତେବେ କଂଗ୍ରେସର ଦୁଇଜଣ ମନ୍ତ୍ରୀ ସରକାରରେ ରହିବେ ନାହିଁ।”
ଅଭିନେତାରୁ ନେତା ବନିଥିବା ଯୋସେଫ୍ ବିଜୟଙ୍କୁ ୨୦୨୯ ନିର୍ବାଚନ ପାଇଁ ଜାତୀୟ ବିକଳ୍ପ ଭାବେ ଉପସ୍ଥାପନ କରିବାକୁ ଟିଭିକେ ସମର୍ଥକମାନେ ଉଦ୍ୟମ ଚଳାଇଛନ୍ତି। ସାମ୍ନାକୁ ଆସିଥିବା ଏକ ଜାତୀୟ ଜନମତ ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାହୁଲ ଗାନ୍ଧୀଙ୍କ ପଛକୁ ବିଜୟଙ୍କୁ ପସନ୍ଦ କରାଯାଉଥିବା ଦର୍ଶାଯିବା ପରେ ଏହି ପ୍ରଚାର ଜୋର ଧରିଥିଲା।
ଏହାକୁ ନେଇ ତାମିଲନାଡୁ କଂଗ୍ରେସ ସଭାପତି ମାଣିକମ୍ ଟାଗୋର ଟିଭିକେ ନେତାମାନଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଟିଭିକେ କର୍ମୀମାନେ ଏବେ ବି ‘ଫ୍ୟାନ୍ କ୍ଲବ୍’ ମାନସିକତାରୁ ବାହାରିନାହାଁନ୍ତି।
୨୦୨୬ ବିଧାନସଭା ନିର୍ବାଚନରେ କଂଗ୍ରେସ ୫ଟି ଆସନ ଜିତି ଟିଭିକେ ନେତୃତ୍ୱାଧୀନ ସରକାରରେ ସାମିଲ ହୋଇଥିଲା ଏବଂ ଦଳ ପାଖରେ ୨ଟି କ୍ୟାବିନେଟ୍ ପଦବୀ ରହିଛି। ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ସରକାର ସ୍ଥାୟିତ୍ୱ ପାଇଁ କଂଗ୍ରେସର ସମର୍ଥନ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି।




