ନୂଆଦିଲ୍ଲୀ: ନିଜର ପ୍ରଥମ ଫିଲ୍ଡ ପୋଷ୍ଟିଂ ସମୟରେ ୧ କୋଟି ଟଙ୍କାର ଲାଞ୍ଚ ନେବା ଅଭିଯୋଗରେ ଛନ୍ଦି ହୋଇଥିବା ଛତିଶଗଡ଼ କେଡରର ଟ୍ରେନି ଆଇପିଏସ ଅଫିସର ରାହୁଲ ବଂଶଲଙ୍କ ଏକ ପୁରୁଣା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଚାଲିଥିବା ବେଳେ, ତାଙ୍କ ୟୁପିଏସସି ପ୍ରସ୍ତୁତି ସମୟର ଏହି ଭିଡିଓ ନେଟିଜେନ୍ସଙ୍କ ମଧ୍ୟରେ ତୀବ୍ର ଆଲୋଚନାର ବିଷୟ ପାଲଟିଛି।

ସିଭିଲ ସର୍ଭିସରେ ଯୋଗଦେବା ପୂର୍ବରୁ ରେକର୍ଡ ହୋଇଥିବା ଏହି ମକ୍ ଇଣ୍ଟରଭ୍ୟୁ ଭିଡିଓରେ ରାହୁଲ ଦୁର୍ନୀତି, ସୁଶାସନ ଏବଂ ପ୍ରଶାସନିକ ସୁଧାର ବିଷୟରେ ବଡ଼ ବଡ଼ କଥା କହୁଥିବାର ଦେଖାଯାଇଛି। ସେ ନିଜ ଭାଇଙ୍କର ଏକ ଘଟଣା ମନେ ପକାଇ କହିଥିଲେ ଯେ, ଆଇଆଇଟି କାନପୁରର ଛାତ୍ର ଥିବା ତାଙ୍କ ଭାଇଙ୍କୁ ଆମେରିକା ଭିସା ପାଇଁ ଜରୁରୀକାଳୀନ ଭାବେ ଜନ୍ମ ପ୍ରମାଣପତ୍ର ଦରକାର ଥିଲା। ଏହି କାମ ଶୀଘ୍ର କରିଦେବା ପାଇଁ ଜଣେ ପଞ୍ଚାୟତ ଅଫିସର ୫୦୦ ଟଙ୍କା ଲାଞ୍ଚ ମାଗିଥିଲେ।

“ସେହି ୫୦୦ ଟଙ୍କା ଲାଞ୍ଚ ଦେବା ସମୟରେ ମୋତେ ଅତ୍ୟନ୍ତ ଖରାପ ଲାଗିଥିଲା,” ବୋଲି ରାହୁଲ ଇଣ୍ଟରଭ୍ୟୁ ପ୍ୟାନେଲ ଆଗରେ କହିଥିଲେ। ସିଷ୍ଟମରେ ଦୁର୍ନୀତି ଓ ଅଦକ୍ଷତା ରହିଛି ବୋଲି ସ୍ୱୀକାର କରିବା ସହ କିଛି କର୍ମଚାରୀଙ୍କ ପାଇଁ ସମସ୍ତଙ୍କୁ ଦୋଷୀ ଭାବିବା ଅନୁଚିତ ବୋଲି ସେ ଯୁକ୍ତି ଦର୍ଶାଇଥିଲେ।

ଏହି ପୁରୁଣା ଭିଡିଓ ଭାଇରାଲ ହେବା ପରେ ନେଟିଜେନ୍ସ ରାହୁଲଙ୍କୁ କଡ଼ା ଭାଷାରେ ସମାଲୋଚନା କରୁଛନ୍ତି। ଦିନେ ୫୦୦ ଟଙ୍କା ଲାଞ୍ଚ ଦେଇ ଦୁଃଖ ପ୍ରକାଶ କରୁଥିବା ବ୍ୟକ୍ତି ଆଜି ପୋଲିସ ଆଫିସର ହେବା ପରେ ୧ କୋଟି ଟଙ୍କାର ଲାଞ୍ଚ ନେବା ଅଭିଯୋଗରେ ଛନ୍ଦି ହେବାକୁ ନେଇ ପ୍ରଶ୍ନ ଉଠିଛି।

ଏହି ଘଟଣାଟି ସରକାରୀ ସେବାରେ ନୈତିକତା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ କୁ ନେଇ ପୁଣି ଥରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।