ୱାଶିଂଟନ୍: ବିଶ୍ୱ ରାଜନୀତିରେ ନୂଆ କୂଟନୈତିକ ସମୀକରଣ ସୃଷ୍ଟି କରିବା ଲକ୍ଷ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଏସିଆ ଗସ୍ତରେ ବାହାରିଛନ୍ତି। ଏହି ଗସ୍ତର ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି ଚୀନ୍ର ରାଷ୍ଟ୍ରପତି ସି ଜିନପିଙ୍ଗ୍ ଓ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ତାଙ୍କର ପ୍ରସ୍ତାବିତ ତ୍ରିପାକ୍ଷିକ ବୈଠକ। ନଭେମ୍ବର ୧୯ରେ ଚୀନ୍ର ସେନ୍ଜେନ୍ରେ ଏହି ବୈଠକ ହେବାର କାର୍ଯ୍ୟକ୍ରମ ରହିଛି।
ଏହି ବୈଠକରେ ତିନି ଦେଶର ପରମାଣୁ ଅସ୍ତ୍ର ଭଣ୍ଡାର, ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଓ ବିଶ୍ୱ ସୁରକ୍ଷା ସମ୍ପର୍କରେ ଆଲୋଚନା ହେବା ଆଶା କରାଯାଉଛି। ଏହା ବ୍ୟତୀତ ଇରାନ୍କୁ ନେଇ ଚାଲିଥିବା ଯୁଦ୍ଧ ଏବଂ ରୁଷିଆ-ୟୁକ୍ରେନ୍ ସଂଘର୍ଷ ମଧ୍ୟ ଆଲୋଚନାରେ ସ୍ଥାନ ପାଇପାରେ। ଟ୍ରମ୍ପ ନିଜେ ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି।
ଆମେରିକା ଓ ରୁଷିଆ ପାଖରେ ବିଶ୍ୱର ସର୍ବାଧିକ ପରମାଣୁ ଅସ୍ତ୍ର ରହିଛି। ଅନ୍ୟପକ୍ଷରେ ଚୀନ୍ର ପରମାଣୁ ଅସ୍ତ୍ର ସଂଖ୍ୟା ତୁଳନାତ୍ମକ ଭାବେ କମ୍ ଥିଲେ ମଧ୍ୟ ଏହାର ଭଣ୍ଡାର ଦ୍ରୁତଗତିରେ ବଢ଼ୁଛି। ଏହି କାରଣରୁ ଚୀନ୍କୁ ମଧ୍ୟ ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଆଲୋଚନାରେ ସାମିଲ କରିବାକୁ ଟ୍ରମ୍ପ ଚାହୁଁଛନ୍ତି। ତେବେ ଚୀନ୍ ଏହି ପ୍ରସ୍ତାବ ପ୍ରତି ଅଧିକ ଉତ୍ସାହ ଦେଖାଇନାହିଁ। ଆମେରିକା ଓ ରୁଷିଆର ପରମାଣୁ ଅସ୍ତ୍ର ଭଣ୍ଡାର ସହ ଚୀନ୍ର ଭଣ୍ଡାର ତୁଳନୀୟ ନୁହେଁ ବୋଲି ବେଜିଂ ପୂର୍ବରୁ ଯୁକ୍ତି ରଖିଛି।
ଏହି ତ୍ରିପାକ୍ଷିକ ବୈଠକକୁ ନେଇ ଆମେରିକାର ଅଧିକାରୀମାନେ କୌଣସି ବଡ଼ ଚୁକ୍ତି ବା ତୁରନ୍ତ ସମାଧାନର ଆଶା ରଖିନାହାନ୍ତି। ତଥାପି ତିନି ପରମାଣୁ ଶକ୍ତିର ରାଷ୍ଟ୍ରମୁଖ୍ୟ ଏକାଠି ବସି ଆଲୋଚନା କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଭାବେ ଦେଖାଯାଉଛି।
ଟ୍ରମ୍ପଙ୍କ ଏସିଆ ଗସ୍ତରେ ଫିଲିପାଇନ୍ସ ମଧ୍ୟ ସାମିଲ ରହିଛି। ସେଠାରେ ସେ ଆସିଆନ୍ ଦେଶଗୁଡ଼ିକର ନେତାଙ୍କ ସହ ବୈଠକ କରିବା ସହ ଥାଇଲାଣ୍ଡ ସହ ଏକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ଚୀନ୍ରେ ଆୟୋଜିତ ଏସିଆ-ପାସିଫିକ୍ ଇକୋନୋମିକ୍ କୋଅପରେସନ୍ (APEC) ସମ୍ମିଳନୀରେ ଯୋଗଦେବେ।
ଏହି ଗସ୍ତ ସମୟରେ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ଙ୍କ ସହ ସାକ୍ଷାତର ସମ୍ଭାବନା ନେଇ ମଧ୍ୟ ଟ୍ରମ୍ପ ସଙ୍କେତ ଦେଇଛନ୍ତି। ତେବେ ଏହି ସାକ୍ଷାତ ହେବ କି ନାହିଁ, ତାହା ଚୀନ୍ର ରାଷ୍ଟ୍ରପତି ଜିନପିଙ୍ଗ୍ଙ୍କ ସହ ଆଲୋଚନା ଉପରେ ନିର୍ଭର କରିପାରେ।




