ନୂଆଦିଲ୍ଲୀ:
ମଡେଲ ଓ ଅଭିନେତ୍ରୀ ତ୍ୱିଷା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ସୋମବାର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି.ଏମ୍. ପାଞ୍ଚୋଲିଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ନିରପେକ୍ଷ ଓ ପକ୍ଷପାତହୀନ ତଦନ୍ତର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି।
କୋର୍ଟ କହିଛନ୍ତି ଯେ, ଏହି ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିବାରୁ ଏହାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତଦନ୍ତ କରାଯିବା ଉଚିତ। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟା ସୂଚନା ଦେଇଛନ୍ତି ଯେ, ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ ନେବ।
ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ପକ୍ଷରୁ ସିବିଆଇ ତଦନ୍ତ ପାଇଁ ଦିଆଯାଇଥିବା ସୁପାରିଶକୁ ପ୍ରଶଂସା କରିଥିବାବେଳେ ଦ୍ୱିତୀୟ ପୋଷ୍ଟମର୍ଟମ ସମ୍ପର୍କରେ ହାଇକୋର୍ଟଙ୍କ ହସ୍ତକ୍ଷେପକୁ ମଧ୍ୟ ସ୍ୱାଗତ କରିଛନ୍ତି। ବର୍ତ୍ତମାନ ମଧ୍ୟପ୍ରଦେଶ ପୁଲିସ ତ୍ୱିଷାଙ୍କ ସ୍ୱାମୀ ସମର୍ଥ ସିଂହ ଓ ତାଙ୍କ ମା’ ଗିରିବାଳା ସିଂହଙ୍କୁ ପଚରାଉଚରା କରୁଥିବା ସହ ସମସ୍ତ ସୂଚନାର ଯାଞ୍ଚ ଜାରି ରଖିଛି।
ମିଡିଆ ଟ୍ରାୟାଲ୍କୁ ନେଇ କୋର୍ଟର ଚିନ୍ତା
ମାମଲାକୁ ନେଇ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଚାଲୁଥିବା କଳ୍ପନାଜଳ୍ପନା ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି କହିଛନ୍ତି ଯେ, ସମ୍ଭାବ୍ୟ ସାକ୍ଷୀ, ପରିବାର ସଦସ୍ୟ କିମ୍ବା ବନ୍ଧୁମାନଙ୍କ ବୟାନ ସାର୍ବଜନୀନ କରାଯିବା ତଦନ୍ତକୁ ପ୍ରଭାବିତ କରିପାରେ। ସେଥିପାଇଁ ମିଡିଆକୁ ସଂୟମ ରଖିବାକୁ କୋର୍ଟ ଅନୁରୋଧ କରିଛନ୍ତି।
କୋର୍ଟ ଉଭୟ ପରିବାରକୁ ମଧ୍ୟ ଗଣମାଧ୍ୟମରେ ବୟାନ ଦେବା ପରିବର୍ତ୍ତେ ସିଧାସଳଖ ତଦନ୍ତକାରୀ ସଂସ୍ଥାଙ୍କ ସମ୍ମୁଖରେ ସମସ୍ତ ତଥ୍ୟ ଉପସ୍ଥାପନ କରିବାକୁ କହିଛନ୍ତି। ସିଜେଆଇ କହିଛନ୍ତି ଯେ, ନ୍ୟାୟପାଳିକା ନିରପେକ୍ଷ ଶୁଣାଣିକୁ ଅନୁମତି ଦେଉନାହିଁ ବୋଲି ଯେଉଁ ପ୍ରଚାର ଚାଲିଛି, ତାହା ଅନୁଚିତ ଏବଂ ଏହାକୁ ଅବିଳମ୍ବେ ବନ୍ଦ କରାଯିବା ଆବଶ୍ୟକ।
ତୁଷାର ମେହେଟାଙ୍କ ଭାବପ୍ରବଣ ବାର୍ତ୍ତା
ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟା ଏକ ଭାବପ୍ରବଣ ମନ୍ତବ୍ୟ ରଖି କହିଥିଲେ, “ଏହି ଘଟଣାରୁ ମିଳୁଥିବା ସବୁଠୁ ବଡ଼ ଶିକ୍ଷା ହେଉଛି—ମୃତ ଝିଅଠାରୁ ଛାଡ଼ପତ୍ର ପାଇଥିବା ଝିଅ ଭଲ।” ତାଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡିଆ ଓ ଆଇନ ମହଳରେ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି।
ସେ ସାଧାରଣ ଲୋକଙ୍କୁ ଅନୁମାନ ଆଧାରିତ ମତାମତରୁ ଦୂରେଇ ରହିବା ଓ ସିବିଆଇ ତଦନ୍ତ ଉପରେ ଭରସା ରଖିବାକୁ ଅନୁରୋଧ କରିଥିଲେ।
୧୨ ମେ’ରୁ ଆରମ୍ଭ ହୋଇଥିଲା ଘଟଣା
ଗତ ୧୨ ମେ’ ରାତିରେ ଭୋପାଳର କଟାରା ହିଲ୍ସ ଅଞ୍ଚଳରେ ତ୍ୱିଷା ଶର୍ମାଙ୍କ ମୃତଦେହ ଘର ଭିତରୁ ସନ୍ଦେହଜନକ ପରିସ୍ଥିତିରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଶ୍ୱଶୁର ଘର ପକ୍ଷ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ତ୍ୱିଷାଙ୍କ ପରିବାର ଯୌତୁକ ନିର୍ଯାତନା ଓ ହତ୍ୟାର ଅଭିଯୋଗ ଆଣିଛନ୍ତି।
ପୁଲିସ ତ୍ୱିଷାଙ୍କ ସ୍ୱାମୀ ଓ ଓକିଲ ସମର୍ଥ ସିଂହ ଏବଂ ତାଙ୍କ ମା’ ପୂର୍ବତନ ଜିଲ୍ଲା ଜଜ୍ ଗିରିବାଳା ସିଂହଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି। ସମର୍ଥ ସିଂହ ବର୍ତ୍ତମାନ ସାତ ଦିନିଆ ପୁଲିସ ହେପାଜତରେ ଥିବାବେଳେ ଗିରିବାଳା ସିଂହ କହିଛନ୍ତି ଯେ, ପୁଲିସ ଏପର୍ଯ୍ୟନ୍ତ ତାଙ୍କ ବୟାନ ରେକର୍ଡ କରିବା ପାଇଁ ଯୋଗାଯୋଗ କରିନାହିଁ।




