ନୂଆଦିଲ୍ଲୀ: ୨୦୨୦ ମସିହାର ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ସହ ଜଡ଼ିତ ବୃହତ୍ ଷଡ଼ଯନ୍ତ୍ର ମାମଲାରେ ଜାମିନ ପାଇଁ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ JNU ଛାତ୍ର ଉମର ଖାଲିଦ ଓ ଛାତ୍ର ନେତା ଶର୍ଜିଲ ଇମାମ। ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ଆବେଦନ ଖାରଜ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଉଭୟ ପୃଥକ୍ ଆବେଦନ ଦାଖଲ କରିଛନ୍ତି।
ଆବେଦନରେ ସେମାନେ ଦର୍ଶାଇଛନ୍ତି ଯେ, ମାମଲାରେ ଅଭିଯୋଗ ପକ୍ଷ ୯୦୦ରୁ ଅଧିକ ସାକ୍ଷୀଙ୍କ ନାମ ଦେଇଥିବା ବେଳେ ଏପର୍ଯ୍ୟନ୍ତ ଜଣେ ହେଲେ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇନାହିଁ। ଏଥିରେ ୪୭ ଜଣ ସୁରକ୍ଷିତ ସାକ୍ଷୀ ମଧ୍ୟ ରହିଛନ୍ତି। ଦୀର୍ଘ ସମୟ ଧରି ବିଚାରାଧୀନ ବନ୍ଦୀ ଭାବେ ଜେଲ୍ରେ ରହିବା ଏବଂ ମାମଲାର ବିଚାର ଆରମ୍ଭ ନହେବା ସେମାନଙ୍କ ଜାମିନ ଆବେଦନର ମୁଖ୍ୟ ଆଧାର।
ଜାନୁଆରି ୫ ତାରିଖରେ ସୁପ୍ରିମକୋର୍ଟ ଉଭୟଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ତେବେ ସୁରକ୍ଷିତ ସାକ୍ଷୀଙ୍କ ବୟାନ ରେକର୍ଡ ସରିବା କିମ୍ବା ଏହି ଆଦେଶର ଏକ ବର୍ଷ ପୂରଣ ହେବା ମଧ୍ୟରୁ ଯାହା ଆଗ ହେବ, ସେହି ସମୟରେ ପୁନର୍ବାର ଜାମିନ ଆବେଦନ କରିବାକୁ ଉଭୟଙ୍କୁ ସ୍ୱାଧୀନତା ଦେଇଥିଲେ ଅଦାଲତ।
ଏହି ଆଦେଶ ପରେ ଉମର ଖାଲିଦ ଓ ଶର୍ଜିଲ ଇମାମ ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। କିନ୍ତୁ ସେପ୍ଟେମ୍ବର ୩୦ ତାରିଖରେ ହାଇକୋର୍ଟ ଏହାକୁ ଖାରଜ କରିଥିଲେ। ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶର ସର୍ତ୍ତକୁ ପରିବର୍ତ୍ତନ କରିବାର କ୍ଷମତା ନିଜ ପାଖରେ ନଥିବା ହାଇକୋର୍ଟ କହିଥିଲେ।
ଏବେ ଉଭୟ ଅଭିଯୁକ୍ତ ଦର୍ଶାଇଛନ୍ତି ଯେ, ଜାନୁଆରି ୫ରେ ଧାର୍ଯ୍ୟ ହୋଇଥିବା ଏକ ବର୍ଷର ସମୟସୀମା ପାଖେଇ ଆସୁଛି। କିନ୍ତୁ ସୁରକ୍ଷିତ ସାକ୍ଷୀଙ୍କ ବୟାନ ରେକର୍ଡ ପ୍ରକ୍ରିୟା ଆରମ୍ଭ ହେବାର ମଧ୍ୟ ସମ୍ଭାବନା ଦେଖାଯାଉନାହିଁ। ଏଭଳି ସ୍ଥିତିରେ ଦୀର୍ଘଦିନ ଧରି ଜେଲ୍ରେ ରଖିବା ନ୍ୟାୟସଙ୍ଗତ ନୁହେଁ ବୋଲି ସେମାନେ ଯୁକ୍ତି ରଖିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୦ ଫେବ୍ରୁଆରିରେ ନାଗରିକତା ସଂଶୋଧନ ଆଇନ (CAA) ବିରୋଧୀ ଆନ୍ଦୋଳନ ସମୟରେ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ଘଟିଥିଲା। ଏଥିରେ ୫୩ ଜଣଙ୍କ ମୃତ୍ୟୁ ହେବା ସହ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣାର ବୃହତ୍ ଷଡ଼ଯନ୍ତ୍ର ମାମଲାରେ ଦିଲ୍ଲୀ ପୁଲିସ ଉମର ଖାଲିଦ ଓ ଶର୍ଜିଲ ଇମାମଙ୍କ ସମେତ ଅନେକଙ୍କ ବିରୋଧରେ UAPA ଓ ଅନ୍ୟ ଆଇନରେ ମାମଲା ରୁଜୁ କରିଛି। ଉଭୟଙ୍କୁ ୨୦୨୦ରେ ଗିରଫ କରାଯାଇଥିଲା। ଅଭିଯୋଗଗୁଡ଼ିକୁ ଉଭୟ ଅଭିଯୁକ୍ତ ଖଣ୍ଡନ କରିଆସୁଛନ୍ତି।




