ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାର ପୂର୍ବାଞ୍ଚଳ ଏକ୍ସପ୍ରେସ୍ୱେରେ ରବିବାର ଭୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସୁବେଦାର ମେଜରଙ୍କ ମୃତଦେହ ନେଇ ଚଣ୍ଡୀଗଡ଼ରୁ ତାଙ୍କ ପୈତୃକ ଗାଁ ଦେଓରିଆ ଯାଉଥିବା ଆମ୍ବୁଲାନ୍ସ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି।
ପୁଲିସ ଅନୁସାରେ, ଦୁର୍ଘଟଣାଟି ହାଲିୟାପୁର ଅଞ୍ଚଳରେ ଅଯୋଧ୍ୟା-ସୁଲତାନପୁର ସୀମା ନିକଟରେ ସକାଳ ପ୍ରାୟ ୮ଟାରେ ଘଟିଥିଲା। ଆମ୍ବୁଲାନ୍ସଟି ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ରହିଥିବା ଟ୍ରକ୍ର ପଛପଟେ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଆମ୍ବୁଲାନ୍ସର ସମ୍ମୁଖ ଭାଗ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା।
ଦୁର୍ଘଟଣାରେ ସୁବେଦାର ମେଜର ସତ୍ୟବାନଙ୍କ ପୁଅ ଗୌରବ ସିଂହ (୨୮), ଭାଇ ରାଜନ ଚୌଧୁରୀ (୩୫), ପୁତୁରା ରାମ ସମୁଝ ସିଂହ (୪୦) ଏବଂ ଆମ୍ବୁଲାନ୍ସ ଚାଳକ ଯଶପାଲ (୩୦)ଙ୍କ ମୃତ୍ୟୁ ହୋଇଛି। ଗୌରବ ଓ ଯଶପାଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ ପ୍ରାଣ ହରାଇଥିଲେ।
ସୂଚନା ଅନୁସାରେ, ଦେଓରିଆ ଜିଲ୍ଲାର ରୁଦ୍ରପୁର ଅଞ୍ଚଳର ଗାଲିଆ ଦୁଧୈଲା ଗାଁର ବାସିନ୍ଦା ସୁବେଦାର ମେଜର ସତ୍ୟବାନଙ୍କ ଚଣ୍ଡୀଗଡ଼ରେ ମୃତ୍ୟୁ ହୋଇଥିଲା। ତାଙ୍କ ମୃତଦେହକୁ ଆମ୍ବୁଲାନ୍ସରେ ଘରକୁ ନିଆଯାଉଥିଲା। ଦୁର୍ଘଟଣା ପରେ ତାଙ୍କ ପାର୍ଥିବ ଶରୀରକୁ ହାଲିୟାପୁର ଥାନା ପରିସରରେ ରଖାଯାଇଥିଲା।
ଦୁର୍ଘଟଣାର ଖବର ପାଇ ସୁଲତାନପୁର ଜିଲ୍ଲାପାଳ ଇନ୍ଦ୍ରଜିତ ସିଂହ ଓ ଏସ୍ପି ବିନୀତ ଜୟସ୍ୱାଲ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣାର କାରଣ ନେଇ ପୁଲିସ ତଦନ୍ତ କରୁଛି।




