ନ୍ୟୁୟର୍କ: ଆମେରିକା ଏବଂ ଇରାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଐତିହାସିକ ଶାନ୍ତି ଚୁକ୍ତିକୁ ମିଳିତ ଜାତିସଂଘ (UN) ସେକ୍ରେଟେରୀ-ଜେନେରାଲ ଆଣ୍ଟୋନିଓ ଗୁଟେରସ ସ୍ୱାଗତ କରିଛନ୍ତି। ଦୀର୍ଘ ମାସ ଧରି ଚାଲିଥିବା ତିକ୍ତତା ପରେ ଦୁଇ ଦେଶ ମଧ୍ୟରେ ତୁରନ୍ତ ତଥା ସ୍ଥାୟୀ ଯୁଦ୍ଧବିରତି ଏବଂ ‘ହରମୁଜ ପ୍ରଣାଳୀ’ (Strait of Hormuz) କୁ ପୁଣିଥରେ ଖୋଲିବା ପାଇଁ ସହମତି ପ୍ରକାଶ ପାଇଛି। ଏହି ଚୁକ୍ତିକୁ ବିଶ୍ୱ ଶାନ୍ତି ଦିଗରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି।

ଜାତିସଂଘର ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ ଏକ ବିବୃତ୍ତିରେ କହିଛନ୍ତି, “ଏହି ନିଷ୍ପତ୍ତି ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।” ଏହି ଆଲୋଚନାକୁ ସଫଳ କରିବାରେ ପାକିସ୍ତାନ, କାତାର, ଇଜିପ୍ଟ, ସାଉଦି ଆରବ ଏବଂ ତୁର୍କୀ ଭଳି ଆଞ୍ଚଳିକ ଦେଶଗୁଡ଼ିକର ଗଠନମୂଳକ ଭୂମିକାକୁ ଜାତିସଂଘ ମୁଖ୍ୟ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ଏକ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଜାତିସଂଘ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ ବୋଲତି ସେ କହିଛନ୍ତି।

ଅନ୍ୟପଟେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏହି ଚୁକ୍ତି ସମ୍ପର୍କରେ ସୂଚନା ଦେଇ ଲେଖିଛନ୍ତି, “ଇସଲାମିକ ରିପବ୍ଲିକ ଅଫ୍ ଇରାନ ସହିତ ଚୁକ୍ତି ଏବେ ସମ୍ପୂର୍ଣ୍ଣ ହୋଇଛି। ସମସ୍ତଙ୍କୁ ଅଭିନନ୍ଦନ!”

ଆମେରିକା ପକ୍ଷରୁ ଇରାନ ଉପରେ ଲଗାଯାଇଥିବା ନୌସେନା ଅବରୋଧ କୁ ତୁରନ୍ତ ହଟାଇବା ପାଇଁ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି।ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ତୈଳ ପରିବହନ ମାର୍ଗ ‘ହରମୁଜ ପ୍ରଣାଳୀ’କୁ ସମ୍ପୂର୍ଣ୍ଣ ଟୋଲ୍-ମୁକ୍ତ ଭାବେ ଖୋଲିବାକୁ ଅନୁମତି ମିଳିଛି।

ଦୀର୍ଘ ମାସ ଧରି ଚାଲିଥିବା ଏହି ବିବାଦ ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ତୈଳ ଦର ଅସ୍ଥିର ରହିବା ସହ ଏକ ବଡ଼ ଆଞ୍ଚଳିକ ଯୁଦ୍ଧର ଆଶଙ୍କା ଦେଖାଦେଇଥିଲା। ଏହି ଚୁକ୍ତି ପରେ ବିଶ୍ୱ ଶକ୍ତି ବଜାର ସୁଧାର ଆସିବ ବୋଲି ଆଶା କରାଯାଉଛି।