ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବନ୍ୟା ସ୍ଥିତି ଏବେ ମଧ୍ୟ ଚିନ୍ତାଜନକ ରହିଛି। ରାଜ୍ୟର ୨୬ଟି ଜିଲ୍ଲାରେ ବନ୍ୟା ପ୍ରଭାବ ପଡ଼ିଥିବା ବେଳେ ପ୍ରାୟ ୩.୫୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାପ୍ରବଣ ଅଞ୍ଚଳରୁ ୧୭,୫୪୪ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏବେ ୪,୮୪୭ ଜଣ ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି। ତେବେ ଏପର୍ଯ୍ୟନ୍ତ ବନ୍ୟାରେ କୌଣସି ଜୀବନହାନି ହୋଇନଥିବା ସରକାର କହିଛି।
୧୩୧୨ ରିଲିଫ୍ ଶିବିର, ୧୬୩୪ ଫ୍ଲଡ୍ ଆଉଟ୍ପୋଷ୍ଟ
ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସାରା ରାଜ୍ୟରେ ୧୩୧୨ଟି ରିଲିଫ୍ ଶିବିର ଖୋଲାଯାଇଛି। ଏହା ସହ ୧୬୩୪ଟି ଫ୍ଲଡ୍ ଆଉଟ୍ପୋଷ୍ଟ, ୧୬୯୭ଟି ଡଙ୍ଗା ଓ ମୋଟରବୋଟ୍ ଏବଂ ୧୦୬୮ଟି ମେଡିକାଲ୍ ଟିମ୍ ନିୟୋଜିତ ହୋଇଛନ୍ତି।
ପ୍ରଭାବିତ ଲୋକଙ୍କୁ ୭୨,୮୯୭ଟି ଖାଦ୍ୟ ପ୍ୟାକେଟ୍ ଏବଂ ୩,୬୭,୫୫୧ଟି ରନ୍ଧା ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରାଯାଇଛି। ପାନୀୟଜଳ ଓ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ୫.୫୨ ଲକ୍ଷରୁ ଅଧିକ କ୍ଲୋରିନ୍ ଟାବଲେଟ୍ ଏବଂ ୧.୮୭ ଲକ୍ଷ ORS ପ୍ୟାକେଟ୍ ବଣ୍ଟନ ହୋଇଛି।
୪୫ ହଜାରରୁ ଅଧିକ ପଶୁ ପ୍ରଭାବିତ
ବନ୍ୟା ଯୋଗୁଁ ୪୫ ହଜାରରୁ ଅଧିକ ପଶୁ ପ୍ରଭାବିତ ହୋଇଛନ୍ତି। ପଶୁମାନଙ୍କ ପାଇଁ ୫ ହଜାର କ୍ୱିଣ୍ଟାଲରୁ ଅଧିକ ଚାରା ଯୋଗାଇ ଦିଆଯାଇଛି। ତେବେ କୌଣସି ପଶୁର ମୃତ୍ୟୁ ହୋଇନଥିବା ସରକାରୀ ରିପୋର୍ଟରେ କୁହାଯାଇଛି।
ଗଙ୍ଗା ସମେତ ଅନେକ ନଦୀରେ ବଢ଼ୁଛି ଜଳସ୍ତର
ଗଙ୍ଗା ସମେତ ଅନ୍ୟାନ୍ୟ ନଦୀର ଜଳସ୍ତର ବଢ଼ିବାରୁ ରାଜ୍ୟର ଅନେକ ଅଞ୍ଚଳରେ ସ୍ଥିତି ଜଟିଳ ହୋଇଛି। ଆୟୋଧ୍ୟା, ବାରାଣସୀ, ପ୍ରୟାଗରାଜ, ଗାଜିପୁର, ବଲିଆ ଓ ଚିତ୍ରକୂଟ ସମେତ ବିଭିନ୍ନ ଅଞ୍ଚଳରେ ପ୍ରଶାସନ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଗଙ୍ଗାର ଜଳସ୍ତର ବୃଦ୍ଧି ଯୋଗୁଁ ପୂର୍ବ ଉତ୍ତରପ୍ରଦେଶରେ ମଧ୍ୟ ବନ୍ୟା ସ୍ଥିତି ଅଧିକ ଚିନ୍ତାଜନକ ହୋଇଛି।
ଗାଜିପୁରରେ ୨ ହଜାରରୁ ଅଧିକ ମେଣ୍ଢା ଉଦ୍ଧାର
ଗାଜିପୁରରେ ଗଙ୍ଗା ନଦୀର ଜଳସ୍ତର ବଢ଼ିବା ପରେ ଦୁହିଆ ସରାୟା ନିକଟ ଏକ ଦ୍ୱୀପରେ ୧୨ ଜଣ ମେଷପାଳକଙ୍କ ସହ ୨ ହଜାରରୁ ଅଧିକ ମେଣ୍ଢା ଫସି ରହିଥିଲେ। ପୁଲିସ ଓ ପ୍ରଶାସନର ମିଳିତ ଉଦ୍ଧାରକାରୀ ଦଳ ପ୍ରାୟ ୬ ଘଣ୍ଟାର ଅଭିଯାନ ପରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା। ରାତିରେ ଫସିଥିବା ସ୍ଥାନ ଚିହ୍ନଟ ପାଇଁ ନାଇଟ୍ ଭିଜନ୍ ଡ୍ରୋନ୍ର ସହାୟତା ନିଆଯାଇଥିଲା।
ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ଉଦ୍ଧାର, ରିଲିଫ୍, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଜାରି ରହିଛି।




