ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ବୃନ୍ଦାବନସ୍ଥିତ ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ଦର୍ଶନ ପାଇଁ ୫ କୋଟି ଟଙ୍କା ନେଇଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ, ଏହି ଅଭିଯୋଗକୁ ବିରାଟ କୋହଲିଙ୍କ ପ୍ରବକ୍ତା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା ବୋଲି ଖଣ୍ଡନ କରିଛନ୍ତି।
ଶ୍ରୀକୃଷ୍ଣ ଜନ୍ମଭୂମି ସଂଘର୍ଷ ନ୍ୟାସର ଅଧ୍ୟକ୍ଷ ତଥା ‘ଫଳାହାରୀ ମହାରାଜ’ ନାମରେ ପରିଚିତ ଦିନେଶ ଶର୍ମା ଦାବି କରିଥିଲେ ଯେ, ବିରାଟ କୋହଲିଙ୍କୁ ଆଶ୍ରମକୁ ଆଣିବା ପାଇଁ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ତେବେ ଏହି ଅଭିଯୋଗର କୌଣସି ନିରପେକ୍ଷ ସତ୍ୟାସତ୍ୟ କିମ୍ବା ଲିଖିତ ପ୍ରମାଣ, ଚୁକ୍ତିପତ୍ର କିମ୍ବା ଆର୍ଥିକ କାରବାରର ନଥିପତ୍ର ସାମ୍ନାକୁ ଆସିନାହିଁ।
ଏହି ସନ୍ଦର୍ଭରେ ବିରାଟ କୋହଲିଙ୍କ ସରକାରୀ ପ୍ରବକ୍ତା ଏକ ସ୍ପଷ୍ଟୀକରଣ ଜାରି କରି କହିଛନ୍ତି:
“ଫଳାହାରୀ ମହାରାଜ ଦିନେଶ ଶର୍ମାଙ୍କ ଦ୍ୱାରା ଶ୍ରୀ ବିରାଟ କୋହଲିଙ୍କ ସମ୍ପର୍କରେ କରାଯାଇଥିବା ସମସ୍ତ ଦାବି ସମ୍ପୂର୍ଣ୍ଣ ଭୁଲ୍, ଭିତ୍ତିହୀନ ଏବଂ ତଥ୍ୟହୀନ। ଏଥିରେ ସାମାନ୍ୟତମ ସତ୍ୟତା ନାହିଁ।”
ପ୍ରବକ୍ତା ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କୋହଲିଙ୍କ ବୃନ୍ଦାବନ ଗସ୍ତ କେବଳ ତାଙ୍କର ନିଜସ୍ୱ ଧାର୍ମିକ ବିଶ୍ୱାସ, ଆଧ୍ୟାତ୍ମିକତା ଏବଂ ପ୍ରେମାନନ୍ଦ ମହାରାଜଙ୍କ ପ୍ରତି ଥିବା ଗଭୀର ଶ୍ରଦ୍ଧା ସମ୍ମାନ ଉପରେ ଆଧାରିତ। ଏଥିସହିତ କୌଣସି ପ୍ରକାର ଆର୍ଥିକ କାରବାରର ପ୍ରଶ୍ନ ହିଁ ଉଠୁନାହିଁ।

ସୂଚନାଯୋଗ୍ୟ ଯେ, ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ୨୦୨୩ ଜାନୁଆରୀରେ ପ୍ରଥମ ଥର ପାଇଁ ବୃନ୍ଦାବନସ୍ଥିତ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିଥିଲେ। ଏହାପରଠାରୁ ଉଭୟ ଦମ୍ପତି ଏକାଧିକ ବାର ମହାରାଜଙ୍କ ଆଶୀର୍ବାଦ ନେବାକୁ ଆଶ୍ରମକୁ ଗସ୍ତ କରିସାରିଛନ୍ତି।




