କଲିକତା/ନୂଆଦିଲ୍ଲୀ:ପଶ୍ଚିମବଙ୍ଗରେ ଭୋଟ ଗଣତି ପୂର୍ବରୁ ଇଭିଏମ୍ (EVM) କାରସାଦିକୁ ନେଇ ଶାସକ ତୃଣମୂଳ କଂଗ୍ରେସ (TMC) ଏବଂ ବିଜେପି ମଧ୍ୟରେ ରାଜନୈତିକ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଷ୍ଟ୍ରଙ୍ଗରୁମ୍ ପରିଦର୍ଶନ କରିବା ସହ ପ୍ରାୟ ୪ ଘଣ୍ଟା ସେଠାରେ ରହିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ମମତା ବାନାର୍ଜୀ ନିଜର ନିର୍ବାଚନ ଏଜେଣ୍ଟଙ୍କ ସହ ଭବାନୀପୁର ବିଧାନସଭା କ୍ଷେତ୍ରର କାଉଣ୍ଟିଂ ସେଣ୍ଟର (ସାଖାୱତ ମେମୋରିଆଲ ସ୍କୁଲ) ଯାଇଥିଲେ। ସେ ସେଠାରେ ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ରହିବା ସହ ଭୋଟରଙ୍କ ସୁରକ୍ଷା ପାଇଁ ଚେତାବନୀ ଦେଇଛନ୍ତି।
ଦଳର ଅଭିଯୋଗ ଅନୁଯାୟୀ, ଅଧିକୃତ ପ୍ରତିନିଧିଙ୍କ ଅନୁପସ୍ଥିତିରେ ଷ୍ଟ୍ରଙ୍ଗରୁମ୍ ଖୋଲାଯାଇଥିଲା। ଏହାକୁ ନେଇ ନେତାଜୀ ଇଣ୍ଡୋର ଷ୍ଟାଡିୟମ ବାହାରେ ଶଶି ପଞ୍ଜା ଏବଂ କୁନାଲ ଘୋଷଙ୍କ ନେତୃତ୍ୱରେ TMC ଧାରଣା ଦେଇଛି।ମମତା ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରୀୟ ବାହିନୀ ପ୍ରଥମେ ତାଙ୍କୁ ଭିତରକୁ ଯିବାକୁ ବାଧା ଦେଇଥିଲେ। ସେ ସିସିଟିଭି (CCTV) ଫୁଟେଜ୍ରେ ଗଣମାଧ୍ୟମର ପ୍ରବେଶ ଅଧିକାର ପାଇଁ ଦାବି କରିଛନ୍ତି।
କମିଶନ ଏହି ଅଭିଯୋଗକୁ ଖାରଜ କରି କହିଛନ୍ତି ଯେ ସମସ୍ତ ନିୟମ ପାଳନ କରାଯାଇଛି ଏବଂ ଇଭିଏମ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି।ବିଜେପି ନେତା ତାପସ ରାୟ ଏହାକୁ ‘ଗୁଜବ’ ବୋଲି କହିଥିବାବେଳେ, ଅମିତ ମାଲବ୍ୟ ଏହାକୁ ମମତାଙ୍କ ‘ରାଜନୈତିକ ହତାଶା’ ଓ ‘ଏକଜିଟ୍ ପୋଲ୍’ର ସ୍ପଷ୍ଟ ସଙ୍କେତ ବୋଲି କଟାକ୍ଷ କରିଛନ୍ତି।
ପଶ୍ଚିମବଙ୍ଗର ସମସ୍ତ ୨୯୪ଟି ଆସନ ପାଇଁ ଆସନ୍ତା ମଇ ୪ ତାରିଖ (ଗୁରୁବାର) କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି କରାଯିବ। ବର୍ତ୍ତମାନ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।




