ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚଳିତ ବର୍ଷ ଆରମ୍ଭରୁ ଜାରି ରହିଥିବା ସାମରିକ ସଂଘର୍ଷ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୧୬ ଜଣ ଭାରତୀୟ ନାଗରିକଙ୍କ ପ୍ରାଣହାନି ଘଟିଥିବା ସୂଚନା ସଂସଦରେ ପ୍ରକାଶ ପାଇଛି। ମୃତକଙ୍କ ମଧ୍ୟରୁ ୧୦ ଜଣ ବାଣିଜ୍ୟିକ ଜାହାଜର ନାବିକ ଥିବାବେଳେ ଅନ୍ୟମାନେ ବିଭିନ୍ନ ଦେଶରେ କାର୍ଯ୍ୟରତ ଭାରତୀୟ ନାଗରିକ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।
ସଂସଦରେ ସିପିଆଇ(ଏମ୍) ସାଂସଦ ଜନ୍ ବ୍ରିଟାସଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ବୈଦେଶିକ ବ୍ୟାପାର ରାଜ୍ୟମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂହ କହିଛନ୍ତି ଯେ, ସଂଘର୍ଷ ପ୍ରଭାବିତ ଅଞ୍ଚଳରେ ଓମାନରେ ୮, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ୪, କୁଏତରେ ୨ ଏବଂ ସାଉଦି ଆରବ ଓ ଇରାକରେ ଜଣେ ଲେଖାଏଁ ଭାରତୀୟଙ୍କ ମୃତ୍ୟୁ ଘଟିଛି।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଯୁଦ୍ଧ ଓ ଆକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ ୭୫ ଜଣ ଭାରତୀୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୟୁଏଇରେ ୩୨, ଓମାନରେ ୨୪, କୁଏତରେ ୧୩, କତରରେ ୪, ସାଉଦି ଆରବରେ ଜଣେ ଏବଂ ଇସ୍ରାଏଲରେ ମଧ୍ୟ ଜଣେ ଭାରତୀୟ ସାମିଲ ଅଛନ୍ତି।
ଏହାଛଡ଼ା କତରର ରାସ ଲାଫାନ୍ ଗ୍ୟାସ ପ୍ରକଳ୍ପରେ ଘଟିଥିବା ଏକ ପୃଥକ ଦୁର୍ଘଟଣାରେ ଆଉ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ସରକାର ସ୍ପଷ୍ଟ କରିଛନ୍ତି। ଏହି ମୃତ୍ୟୁଗୁଡ଼ିକ ଯୁଦ୍ଧଜନିତ ଆକ୍ରମଣ ସହ ସିଧାସଳଖ ସମ୍ପର୍କିତ ନୁହେଁ ବୋଲି ମନ୍ତ୍ରାଳୟ କହିଛି।
କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ଯେ, ମୃତ ଭାରତୀୟଙ୍କ ମରଶରୀର ସ୍ୱଦେଶକୁ ଫେରାଇ ଆଣିବା ପାଇଁ ବୈଦେଶିକ ମନ୍ତ୍ରାଳୟ ସମ୍ପୃକ୍ତ ଦେଶର ସରକାର ଓ ଭାରତୀୟ ଦୂତାବାସ ସହ ନିରନ୍ତର ସମନ୍ୱୟ ରଖୁଛି।
ସେହିପରି ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବାଣିଜ୍ୟିକ ଜାହାଜ ନାବିକଙ୍କ ପରିବାରକୁ କଲ୍ୟାଣକାରୀ ପାଣ୍ଠି ଯୋଜନା ଅଧୀନରେ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଉଥିବା ମଧ୍ୟ ସରକାର ଜଣାଇଛନ୍ତି।




