ନ୍ୟୁୟର୍କ: ଇରାନ ଯୁଦ୍ଧରେ ଶହୀଦ ହୋଇଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସେନା ସାର୍ଜେଣ୍ଟ ଏଞ୍ଜେଲ ରାମପରସାଦଙ୍କୁ ନ୍ୟୁୟର୍କରେ ବୀରର ସମ୍ମାନ ସହ ଶେଷ ବିଦାୟ ଦିଆଯାଇଛି। “ମୋ ଝିଅ ଜଣେ ପ୍ରକୃତ ନାୟିକା ଥିଲା” ବୋଲି ଶୁକ୍ରବାର ଶେଷକୃତ୍ୟ ସମୟରେ ତାଙ୍କ ମା’ କ୍ୟାରୋଲ ଆସେଭେଡୋ କାନ୍ଦି କାନ୍ଦି କହିଛନ୍ତି। ଏହି ଅବସରରେ ଶହ ଶହ ଶ୍ରଦ୍ଧାଳୁ, ସେନା ଅଧିକାରୀ ଓ ନେତୃବୃନ୍ଦ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମାତ୍ର ଦୁଇ ବର୍ଷ ବୟସରେ ତ୍ରିନିଦାଦରୁ ଆମେରିକା ଆସିଥିବା ଏଞ୍ଜେଲ, ଗତ ମାସରେ ଜୋର୍ଡାନସ୍ଥିତ ଆମେରିକୀୟ ସେନାଘାଟି ଉପରେ ଇରାନର ମିସାଇଲ ଆକ୍ରମଣରେ ଶହୀଦ ହୋଇଥିଲେ। ତାଙ୍କ ସ୍ମୃତିରେ ନ୍ୟୁୟର୍କ ଗଭର୍ଣ୍ଣର କ୍ୟାଥି ହୋଚୁଲ ସମଗ୍ର ରାଜ୍ୟରେ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଗଭର୍ଣ୍ଣର କହିଛନ୍ତି ଯେ, ସାହସିକତା ଓ ଆତ୍ମବଳିଦାନର ପ୍ରତୀକ ଥିଲେ ଏଞ୍ଜେଲ।

ନ୍ୟୁୟର୍କ ପୋଲିସର ବାଇକ ଶୋଭାଯାତ୍ରା ସହ ତାଙ୍କ ପାର୍ଥିବ ଶରୀରକୁ ଗିର୍ଜାଘର ଓ ପରେ ଲଙ୍ଗ ଆଇଲ୍ୟାଣ୍ଡ ସମାଧିସ୍ଥଳକୁ ନିଆଯାଇ ସେନା ସମ୍ମାନ ସହ କବର ଦିଆଯାଇଛି। ନ୍ୟୁୟର୍କ ମେୟର ଜୋହେର ମାମଦାନୀ ଗିର୍ଜାଘରରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେବା ସହ କହିଛନ୍ତି, “ଏଞ୍ଜେଲଙ୍କ ବଳିଦାନକୁ ସହରବାସୀ ସଦା ସର୍ବଦା ମନେ ରଖିବେ।”

ଜୁଲାଇ ୨୨ରେ ଜୋର୍ଡାନରୁ ତାଙ୍କ ମୃତଦେହ ଡୋଭର ଏୟାରଫୋର୍ସ ବେସରେ ପହଞ୍ଚିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଯୁଦ୍ଧ ସଚିବ ପିଟ୍ ହେଗସେଥ୍ ସେନା ସମ୍ମାନ ସହ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଜର୍ମାନୀରେ ନିୟୋଜିତ ଥିବା ଏଞ୍ଜେଲଙ୍କୁ ଯୁଦ୍ଧ ପାଇଁ ଜୋର୍ଡାନର ମୁୱାଫାକ ସାଲଟି ଏୟାରବେସକୁ ପଠାଯାଇଥିଲା।

ଗତ ଫେବୃଆରୀ ୨୮ରୁ ଆରମ୍ଭ ହୋଇଥିବା ଏହି ଇରାନ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୮ ଜଣ ଆମେରିକୀୟ ସୈନ୍ୟ ପ୍ରାଣ ହରାଇସାରିଛନ୍ତି। ଜୁଲାଇ ୧୭ରେ ହୋଇଥିବା ମିସାଇଲ ଆକ୍ରମଣରେ ଏଞ୍ଜେଲଙ୍କ ସହ କ୍ୟାପଟେନ୍ ଟାଇଲର ଜେମ୍ସ ଫିହାନ ଓ ପ୍ରାଇଭେଟ୍ ଫଷ୍ଟ କ୍ଲାସ ଇସାବେଲା ଗୋଞ୍ଜାଲେସ ଶହୀଦ ହୋଇଥିଲେ।