କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟରେ ରାଜନୈତିକ ହିଂସା ଥମିବାର ନାଁ ନେଉନାହିଁ। ବୁଧବାର ବିଳମ୍ବିତ ରାତିରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ପାଣିହାଟିରେ ଭୟଙ୍କର ବୋମାମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ଅତିକମରେ ୫ ଜଣ ବିଜେପି କର୍ମୀ ଗୁରୁତର ଭାବେ ଆହତ ହୋଇଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ପାଣିହାଟି ପୌରପାଳିକାର ୨ ନମ୍ବର ୱାର୍ଡ ଅନ୍ତର୍ଗତ ଦତ୍ତ ରୋଡ୍‌ରେ କିଛି ବିଜେପି କର୍ମୀ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରୁଥିଲେ। ଏହି ସମୟରେ ମୋଟରସାଇକେଲରେ ୪ ଜଣ ଦୁର୍ବୃତ୍ତ ଆସି ସେମାନଙ୍କ ଉପରକୁ ପରପର ତିନୋଟି କ୍ରୁଡ୍ ବୋମା ଫିଙ୍ଗିଥିଲେ। ବୋମାମାଡ଼ ପରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।

ଏହି ବିସ୍ଫୋରଣରେ ଆହତ ହୋଇଥିବା ୫ ଜଣ କର୍ମୀଙ୍କୁ ତୁରନ୍ତ କୋଲକାତାର ଆର.ଜେ. କର (RG Kar) ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଏହି ଘଟଣା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ଚନ୍ଦ୍ରନାଥ ରଥଙ୍କ ହତ୍ୟାର ମାତ୍ର କିଛି ଘଣ୍ଟା ପରେ ଘଟିଛି। ଶୁଭେନ୍ଦୁ ଅଧିକାରୀ ଏହି ଘଟଣାକୁ ନିନ୍ଦା କରିବା ସହ ଏହାକୁ “ମହା ଜଙ୍ଗଲ ରାଜ୍” ବୋଲି ଅଭିହିତ କରିଛନ୍ତି। ବିଜେପି ପକ୍ଷରୁ ଏହି ଆକ୍ରମଣ ପଛରେ ଶାସକ ତୃଣମୂଳ କଂଗ୍ରେସ (TMC) ର ହାତ ଥିବା ଅଭିଯୋଗ କରାଯାଇଛି। ତେବେ ଟିଏମସି ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଘଟଣା ପରେ ଖରଦା ପୋଲିସ ଏବଂ କେନ୍ଦ୍ରୀୟ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ସୂଚନାଯୋଗ୍ୟ ଯେ, ମେ’ ୪ ତାରିଖ ନିର୍ବାଚନ ଫଳାଫଳ ପରଠାରୁ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବିଜେପି ଓ ଟିଏମସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି।