ନୂଆଦିଲ୍ଲୀ: ମହିଳା ସଂରକ୍ଷଣକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଆଣାଯାଇଥିବା ସମ୍ବିଧାନ ସଂଶୋଧନ ବିଲ୍‌ ଲୋକସଭାରେ ପାରିତ ହେବାରେ ବିଫଳ ହୋଇଛି। ଦୁଇ-ତୃତୀୟାଂଶ ସମର୍ଥନ ନ ମିଳିବାରୁ ବିଲ୍‌ଟି କାଟ ଖାଇଥିବାରୁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାର ଭବିଷ୍ୟତ ପୁଣି ଅନିଶ୍ଚିତତାରେ ପଡ଼ିଛି।

ଲୋକସଭାରେ ହୋଇଥିବା ଭୋଟିଂ ସମୟରେ ୫୨୮ ସଦସ୍ୟ ଉପସ୍ଥିତ ଥିଲେ। ସେଥିରୁ ୨୯୮ ଜଣ ସଦସ୍ୟ ବିଲ୍‌ ପକ୍ଷରେ ଭୋଟ ଦେଇଥିବାବେଳେ ୨୩୦ ଜଣ ବିରୋଧରେ ଭୋଟ କରିଥିଲେ। କିନ୍ତୁ ବିଲ୍‌ ପାରିତ ପାଇଁ ଆବଶ୍ୟକ ୩୨୬ ଭୋଟ ନ ମିଳିବାରୁ ଏହା ଅସଫଳ ହୋଇଛି।

ଏହି ବିଲ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ନୂତନ ଜନଗଣନା ବିନା ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ସମାପ୍ତ କରି ମହିଳା ସଂରକ୍ଷଣକୁ ଶୀଘ୍ର କାର୍ଯ୍ୟକାରୀ କରିବା। କିନ୍ତୁ ବିଲ୍‌ ବିଫଳ ହେବା ସହିତ ଏହି ପ୍ରୟାସ ଠପ୍‌ ପଡ଼ିଛି। ପରେ ଏହା ସଂକ୍ରାନ୍ତ ଅନ୍ୟ ଦୁଇଟି ବିଲ୍‌କୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଲୋକସଭାରୁ ପ୍ରତ୍ୟାହାର କରିନେଇଛନ୍ତି।

ସଂସଦର ତିନିଦିନିଆ ବିଶେଷ ଅଧିବେଶନ (ଏପ୍ରିଲ ୧୬ରୁ ୧୮) ମଧ୍ୟରେ ଏହି ବିଲ୍‌ ଉପରେ ତୀବ୍ର ରାଜନୈତିକ ତର୍କ ହୋଇଥିଲା। ସରକାର ୨୦୨୯ ସୁଦ୍ଧା ମହିଳା ସଂରକ୍ଷଣକୁ ଲାଗୁ କରିବା ଲକ୍ଷ୍ୟ ରଖିଥିବା ବେଳେ, ଲୋକସଭା ଆସନ ସଂଖ୍ୟାକୁ ୫୪୩ରୁ ୮୫୦କୁ ବଢ଼ାଇବା ପ୍ରସ୍ତାବ ମଧ୍ୟ ଆଣିଥିଲା।

ଭୋଟିଂ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ମହିଳାଙ୍କୁ ଅଧିକାର ଦେବା ପାଇଁ ଆଉ ବିଳମ୍ବ କରାଯିବ ନାହିଁ ଏବଂ ଜନଗଣନା ପ୍ରକ୍ରିୟାକୁ ବାଇପାସ୍ କରିବା ଆବଶ୍ୟକ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମସ୍ତ ଦଳକୁ ଦଳଗତ ରାଜନୀତି ଉପରେ ଉଠି ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ।

ଅନ୍ୟପଟେ ବିରୋଧୀ ଦଳମାନେ ଜନଗଣନା ବିନା ସୀମା ନିର୍ଦ୍ଧାରଣକୁ ସାମ୍ବିଧାନିକ ନିୟମର ଉଲ୍ଲଂଘନ ବୋଲି ଆପତ୍ତି କରିଥିଲେ। ସେମାନେ ଏହାକୁ ସରକାରଙ୍କ ପକ୍ଷରୁ ନିର୍ବାଚନୀ ମଣ୍ଡଳୀ ପୁନର୍ଗଠନରେ ହସ୍ତକ୍ଷେପ ବୋଲି ଅଭିଯୋଗ କରିଥିଲେ। ଏହାସହ ପଛୁଆ ବର୍ଗର ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା ନଥିବାକୁ ମଧ୍ୟ ବିରୋଧୀ ଦଳମାନେ ମୁଖ୍ୟ ଆପତ୍ତି ଭାବେ ଉଠାଇଥିଲେ।

ବିଲ୍‌ ବିଫଳ ହେବା ସହିତ ମହିଳା ସଂରକ୍ଷଣ ନେଇ ରାଜନୀତି ଆଉ ତୀବ୍ର ହେବାର ସମ୍ଭାବନା ରହିଛି।