ଭୁବନେଶ୍ୱର: ବିଭିନ୍ନ ଦାବିକୁ ନେଇ ଆଜି ସାରା ରାଜ୍ୟରେ ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ପାଳନ କରାଯାଉଛି। ନବ ନିର୍ମାଣ କୃଷକ ସଂଗଠନ ଏବଂ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରା ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

ଏହି ଧର୍ମଘଟକୁ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି, କଂଗ୍ରେସ ଏବଂ ବାମପନ୍ଥୀ ଦଳଗୁଡ଼ିକ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।

ଓଡ଼ିଶା ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଗୃହ ବିଭାଗର ମୁଖ୍ୟ ନିର୍ଦ୍ଦେଶାବଳୀ:

  • ସୁରକ୍ଷା ବ୍ୟବସ୍ଥା: କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଆବଶ୍ୟକୀୟ ପ୍ରତିଷେଧକ ଓ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିବା।
  • ସରକାରୀ କାର୍ଯ୍ୟାଳୟ: କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଯେପରି ସ୍ୱାଭାବିକ ଭାବେ ଚାଲିପାରିବ, ସେଥିପାଇଁ ସ୍ୱତନ୍ତ୍ର ନିରାପତ୍ତା ବ୍ୟବସ୍ଥା କରିବା।
  • ଜରୁରୀକାଳୀନ ସେବା: ଆମ୍ବୁଲାନ୍ସ, ଦୁଗ୍ଧ ଯୋଗାଣ ଏବଂ ସ୍ୱାସ୍ଥ୍ୟସେବା ଭଳି ଜରୁରୀକାଳୀନ ସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପ୍ରତି କଡ଼ା ନଜର ରଖିବା।

ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ଯୋଗୁଁ ରାଜପଥ ଓ ବିଭିନ୍ନ ପ୍ରମୁଖ ରାସ୍ତାରେ ରାସ୍ତାରୋକ, ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ, ଟାୟାର ଜାଳି ପ୍ରତିବାଦ ଏବଂ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି।

ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ଫୋର୍ସ ମୋତାୟନ କରାଯାଇଛି ଏବଂ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।