ପାରଳାଖେମୁଣ୍ଡି: ବହୁ ଚର୍ଚ୍ଚିତ ସହାୟକ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଏକ ବଡ଼ ରାଜନୈତିକ ଓ ଆଇନଗତ ମୋଡ଼ ଆସିଛି। ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡା ପାରଳାଖେମୁଣ୍ଡି ଏସଡିଜେଏମ୍ (SDJM) କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।
ଅକ୍ଟୋବର ୩୧ ତାରିଖରେ ଓଡ଼ିଶା ହାଇକୋର୍ଟ ବିଦ୍ୟାଭାରତୀଙ୍କ ଅଗ୍ରିମ ଜାମିନ ଆବେଦନକୁ ନାକଚ କରିଦେବା ପରେ ଗିରଫଦାରୀରୁ ବଞ୍ଚିବା ପାଇଁ ସେ କୋର୍ଟରେ ହାଜର ହୋଇ ଆତ୍ମସମର୍ପଣ କରିଛନ୍ତି।
ଏହି ଘଟଣା ୨୦୨୧ ମସିହା ଜୁଲାଇ ମାସର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଏସିଏଫ୍ ଭାବେ କାର୍ଯ୍ୟରତ ଥିବା ସୌମ୍ୟରଞ୍ଜନ ମହାପାତ୍ର ୨୦୨୧ ଜୁଲାଇ ୧୧ ତାରିଖ ରାତିରେ ନିଜର ସରକାରୀ ବାସଭବନରେ ସନ୍ଦେହଜନକ ପରିସ୍ଥିତିରେ ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିଲେ।
ତାଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲ ଓ ପରେ କଟକର ଏକ ବେସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, ଜୁଲାଇ ୧୨ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତ୍ୟୁର ତିନି ଦିନ ପରେ, ଜୁଲାଇ ୧୪ ତାରିଖରେ ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ଦର୍ଶାଇ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ।
ପରିବାର ଲୋକଙ୍କ ଏଫ୍ଆଇଆର୍ ଆଧାରରେ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଏମମୃତ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ ଗଜପତି ଡିଏଫ୍ଓ (DFO) ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭ।
ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ୨୦୨୧ ଅଗଷ୍ଟ ମାସରେ ଏହି ମାମଲାର ତଦନ୍ତ ଭାର ରାଜ୍ୟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। ଜଣେ ଯୁବ ବନ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ ସାରା ରାଜ୍ୟରେ ପ୍ରବଳ ଆଲୋଡ଼ନ ସୃଷ୍ଟି କରିଥିଲା। ଘଟଣାର ଦୀର୍ଘ ୫ ବର୍ଷ ପରେ ବିଦ୍ୟାଭାରତୀଙ୍କ କୋର୍ଟରେ ଆତ୍ମସମର୍ପଣ ପଦକ୍ଷେପ ମାମଲାକୁ ପୁଣି ଥରେ ଚର୍ଚ୍ଚାର ଶୀର୍ଷକୁ ଆଣିଦେଇଛି।




