ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପରେ ମହାପ୍ରଭୁଙ୍କ ରଥାରୂଢ଼ ନୀତିମାନଙ୍କ ମଧ୍ୟରୁ ଅଧରପଣା ଅନ୍ୟତମ। ଏହି ନୀତିରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ବିଶେଷ ପଣା ଭୋଗ ଅର୍ପଣ କରାଯାଇଥାଏ। ଶ୍ରୀଜଗନ୍ନାଥ ସଂସ୍କୃତିର ବିଶ୍ୱାସ ଅନୁଯାୟୀ, ମହାପ୍ରଭୁଙ୍କ ଅଧର ସ୍ପର୍ଶରେ ପବିତ୍ର ହୋଇଥିବା ଏହି ପଣାରୂପୀ ଅମୃତକୁ ଶରୀରୀ ଓ ଅଶରୀରୀ ସମସ୍ତ ଜୀବଙ୍କ ତୃପ୍ତି ପାଇଁ ସମର୍ପଣ କରାଯାଏ।

ଏହି ନୀତି ପାଇଁ ପ୍ରତିବର୍ଷ ସ୍ୱତନ୍ତ୍ର ଭାବେ ବିଶାଳ ମାଟିର ତୁମ୍ବକାର ହାଣ୍ଡି ପ୍ରସ୍ତୁତ କରାଯାଏ। କୁମ୍ଭକାର ସେବକମାନେ ମହାପ୍ରଭୁଙ୍କ ଅଧର ପର୍ଯ୍ୟନ୍ତ ପହଞ୍ଚିପାରିବା ଭଳି ଉଚ୍ଚତାର ଏହି ହାଣ୍ଡିଗୁଡ଼ିକୁ ପ୍ରସ୍ତୁତ କରିଥାନ୍ତି। ବଡ଼ଓଡ଼ିଆ ମଠ, ରାଘବଦାସ ମଠ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ତିନୋଟି ଲେଖାଏଁ କରି ମୋଟ ୯ଟି ହାଣ୍ଡି ତିନିଟି ରଥ ପାଇଁ ପ୍ରସ୍ତୁତ କରାଯାଇଛି।

ଅଧରପଣା ନୀତି କେବଳ ଏକ ଭୋଗ ପରମ୍ପରା ନୁହେଁ, ବରଂ ଶ୍ରୀଜଗନ୍ନାଥଙ୍କ ସର୍ବଜନୀନ କରୁଣା ଓ ସମସ୍ତ ଜୀବଙ୍କ ପ୍ରତି ସମାନ ମମତାର ପ୍ରତୀକ ବୋଲି ମନାଯାଏ। ପରମ୍ପରା ଅନୁଯାୟୀ, ଏହି ପଣା ରଥ ଉପରେ ଅର୍ପଣ ପରେ ମାଟି ହାଣ୍ଡି ଭଙ୍ଗାଯାଏ, ଯାହାଦ୍ୱାରା ରଥ ଚାରିପାଖରେ ବିରାଜମାନ ଅଶରୀରୀ ଶକ୍ତିମାନେ ମଧ୍ୟ ଏହି ପ୍ରସାଦ ପାଇ ତୃପ୍ତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।

ଅଧରପଣା ନୀତି ୨୦୨୬: ପ୍ରମୁଖ ସମୟସୂଚୀ

  • ମଙ୍ଗଳ ଆଳତି (ତିନି ରଥରେ): ସକାଳ ୬:୦୦ରୁ ୬:୩୦
  • ମଇଲମ ଓ ତଡ଼ପଲାଗି: ସକାଳ ୭:୦୦
  • ଅବକାଶ ନୀତି: ସକାଳ ୮:୦୦
  • ବେଶ ଶେଷ: ସକାଳ ୯:୦୦
  • ଗୋପାଳବଲ୍ଲଭ ଭୋଗ: ପୂର୍ବାହ୍ନ ୧୦:୦୦ରୁ ୧୦:୩୦
  • ସକାଳ ଧୂପ: ୧୧:୩୦ରୁ ୧୨:୩୦
  • ମଇଲମ: ଦିନ ୧:୦୦
  • ମହାସ୍ନାନ ଓ ସର୍ବାଙ୍ଗ: ଦିନ ୧:୩୦
  • ବେଶ ଶେଷ: ଦିନ ୨:୦୦
  • ମଧ୍ୟାହ୍ନ ଧୂପ: ଦିନ ୩:୩୦ରୁ ୪:୩୦
  • ତିନି ରଥରେ ଅଧରପଣା ନୀତି ଶେଷ: ରାତି ୮:୦୦
  • ମହାସ୍ନାନ ଶେଷ: ରାତି ୯:୦୦
  • ମଇଲମ ଓ ବେଶ: ରାତି ୧୦:୦୦
  • ସନ୍ଧ୍ୟା ଆଳତି: ରାତି ୧୦:୩୦
  • ସନ୍ଧ୍ୟା ଧୂପ: ରାତି ୧୧:୦୦ରୁ ୧୨:୦୦
  • ମଇଲମ ଓ ଚନ୍ଦନ ଲାଗି: ରାତି ୧୨:୩୦
  • ବଡ଼ସିଂହାର ବେଶ: ରାତି ୧:୦୦
  • ବଡ଼ସିଂହାର ଭୋଗ: ରାତି ୧:୩୦
  • ଗରୁଡ଼ ଶୟନ: ରାତି ୧:୩୦
  • ରାତ୍ର ପହୁଡ଼: ରାତି ୨:୦୦

ଅଧରପଣା ନୀତି ପରେ ମହାପ୍ରଭୁଙ୍କ ରଥାରୂଢ଼ ଲୀଳାର ଶେଷ ପର୍ଯ୍ୟାୟ ଆରମ୍ଭ ହୁଏ। ଏହା ପରେ ନୀଳାଦ୍ରି ବିଜେ ମାଧ୍ୟମରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ବିଜେ କରି ରଥଯାତ୍ରା ମହୋତ୍ସବର ସମାପନ ହୋଇଥାଏ।