ଭୁବନେଶ୍ୱର: ଭାରତୀୟ ସଶସ୍ତ୍ର ବାହିନୀ ରେ ନନ୍-ମେଡିକାଲ୍ ଶାଖାର ପ୍ରଥମ ମହିଳା ଅଧିକାରୀ ଭାବେ ଏୟାର ଭାଇସ୍ ମାର୍ଶଲ ପଦବୀ ରେ ପଦୋନ୍ନତି ପାଇ ଇତିହାସ ରଚିଛନ୍ତି ଶକ୍ତି ଶର୍ମା। ଭାରତୀୟ ସେନା ଏବଂ ନୌସେନାରେ ମହିଳା ଅଧିକାରୀମାନେ ଅଧିକରୁ ଅଧିକ କୋଲୋନେଲ କିମ୍ବା ତାହାର ସମକକ୍ଷ ପଦବୀ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ଏୟାର ଭାଇସ୍ ମାର୍ଶଲ ପଦବୀରେ ନିଯୁକ୍ତି ପାଇବା ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି।

ଏୟାର ଭାଇସ୍ ମାର୍ଶଲ ଶକ୍ତି ଶର୍ମା ନୂଆଦିଲ୍ଲୀସ୍ଥିତ ଏୟାର ହେଡ କ୍ୱାଟରରେ ସହାୟକ ବାୟୁସେନା ମୁଖ୍ୟ (ଶିକ୍ଷା) ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି।

୧୯୯୪ ମସିହା ଜୁନ୍ ୧୮ ତାରିଖରେ ଭାରତୀୟ ବାୟୁସେନାର ଶିକ୍ଷା ଶାଖାରେ ଯୋଗ ଦେଇଥିଲେ ଶକ୍ତି ଶର୍ମା। ନିଜର ୩୦ ବର୍ଷରୁ ଅଧିକ ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ସେ ବିଭିନ୍ନ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଫିଲ୍ଡ ଷ୍ଟେସନ, କମାଣ୍ଡ ହେଡ କ୍ୱାଟର ଏବଂ ଏୟାର ହେଡ କ୍ୱାଟରରେ ନିଜର ସଫଳ ଦାୟିତ୍ୱ ତୁଲାଇଛନ୍ତି।

ଏୟାର ଭାଇସ୍ ମାର୍ଶଲ ଶକ୍ତି ଶର୍ମାଙ୍କ ଏହି ଐତିହାସିକ ସଫଳତା ପାଇଁ ଓଡ଼ିଶାର ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ସୋସିଆଲ ମିଡିଆ ‘ଏକ୍ସ’ (X) ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି।

ନବୀନ ଲେଖିଛନ୍ତି ଯେ, “ଭାରତୀୟ ସଶସ୍ତ୍ର ବାହିନୀର ନନ୍-ମେଡିକାଲ ଶାଖାରୁ ପ୍ରଥମ ମହିଳା ଅଧିକାରୀ ଭାବେ ଏୟାର ଭାଇସ୍ ମାର୍ଶଲ ପଦବୀରେ ପହଞ୍ଚିଥିବା ଶକ୍ତି ଶର୍ମାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ତାଙ୍କର ଏହି ପଦୋନ୍ନତି ଅନେକ ମହିଳାଙ୍କୁ ପ୍ରତିବନ୍ଧକ ଭାଙ୍ଗି ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ। ସେ ନିଜ କାର୍ଯ୍ୟଜୀବନରେ ଆହୁରି ଉଚ୍ଚତା ଛୁଅନ୍ତୁ ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜନ୍ତୁ।”