ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଗସ୍ତ ସମୟରେ ଉଭୟ କେନ୍ଦ୍ରମନ୍ତ୍ରୀ କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (HAL) ପରିଦର୍ଶନ କରିବେ। ଏଠାରେ ବିଭିନ୍ନ କାର୍ଯ୍ୟକଳାପର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

ଗସ୍ତ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। ସୁନାବେଡ଼ା HAL କେନ୍ଦ୍ରରେ ପ୍ରତିରକ୍ଷା ଉତ୍ପାଦନ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ଓ ସମୀକ୍ଷା ହେବାର ସୂଚନା ମିଳିଛି।

ଶକ୍ତି ଇଞ୍ଜିନ୍‌ ସୁବିଧା ଉପରେ ଗୁରୁତ୍ୱ

ରାଜନାଥ ସିଂହଙ୍କ ସୁନାବେଡ଼ା ଗସ୍ତ ସମୟରେ ଶକ୍ତି ଇଞ୍ଜିନ୍‌ ସହ ଜଡ଼ିତ ନୂଆ ସୁବିଧା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି। HALର କୋରାପୁଟ ଡିଭିଜନ୍‌ ଦୀର୍ଘଦିନ ଧରି ବିମାନ ଇଞ୍ଜିନ୍‌ ନିର୍ମାଣ, ଓଭରହଲ୍‌ ଓ ରକ୍ଷଣାବେକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଛି।

ପ୍ରସ୍ତାବିତ ନୂଆ ସୁବିଧା ଦେଶର ଏରୋ-ଇଞ୍ଜିନ୍‌ ପ୍ରଯୁକ୍ତି ଓ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷମତାକୁ ଆହୁରି ସୁଦୃଢ଼ କରିବା ଦିଗରେ ଗୁରୁତ୍ୱ ବହନ କରୁଛି।

କୋରାପୁଟରେ ସୁରକ୍ଷା କଡ଼ାକଡ଼ିଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁନାବେଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। କାର୍ଯ୍ୟକ୍ରମସ୍ଥଳକୁ ଯିବା ବିଭିନ୍ନ ରାସ୍ତାରେ ସୁରକ୍ଷା ଯାଞ୍ଚ ସହ ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ କରାଯାଇଛନ୍ତି।

HALର କୋରାପୁଟ ଡିଭିଜନ୍‌ ଦେଶର ପ୍ରତିରକ୍ଷା ଉତ୍ପାଦନ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର। ସୁନାବେଡ଼ା ୟୁନିଟ୍‌ରେ ବିଭିନ୍ନ ସାମରିକ ବିମାନ ଇଞ୍ଜିନ୍‌ର ନିର୍ମାଣ ଓ ଓଭରହଲ୍‌ କାର୍ଯ୍ୟ ହୋଇଆସୁଛି। ବିଶେଷକରି ସୁଖୋଇ-୩୦ MKI ବିମାନର ଇଞ୍ଜିନ୍‌ ସହ ମଧ୍ୟ ଏହି ୟୁନିଟ୍‌ର କାର୍ଯ୍ୟ ସଂପୃକ୍ତ ରହିଛି।