ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ପକ୍ସୋ (POCSO) ସ୍ୱତନ୍ତ୍ର ଅଦାଲତ କଠୋର ରାୟ ଶୁଣାଇଛନ୍ତି। ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ଜରିମାନା ଦଣ୍ଡାଦେଶ ଦେଇଛନ୍ତି।
ମାମଲାର ଶୁଣାଣି ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ପକ୍ସୋ ସ୍ୱତନ୍ତ୍ର ଅଦାଲତର ବିଚାରପତି ବିରଞ୍ଚି ନାରାୟଣ ମିଶ୍ରଙ୍କ ଅଦାଲତରେ ହୋଇଥିଲା। ବିଚାର ପରେ ଅଦାଲତ ଅଭିଯୁକ୍ତଙ୍କ ବିରୋଧରେ ଥିବା ପ୍ରମାଣକୁ ଗୁରୁତ୍ୱ ଦେଇ ଏହି କଠୋର ରାୟ ପ୍ରକାଶ କରିଛନ୍ତି।
ସୂଚନାନୁସାରେ, ସୋନପୁର ଜିଲ୍ଲା ସବଳୟା ଥାନା ଅଞ୍ଚଳର ବାସିନ୍ଦା ଦୁଃଖନାଶନ ବିଶି ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ଏକ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିଲେ। ୨୦୨୪ ଅଗଷ୍ଟ ୨୬ ତାରିଖରେ ସେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ମନ୍ଦିର ନିକଟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ପୁଲିସ ତୁରନ୍ତ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ରାୟ ପ୍ରକାଶ କରି ଅଦାଲତ କହିଛନ୍ତି ଯେ, ଧାର୍ମିକ ସ୍ଥାନ ଓ ପୂଜକର ପରିଚୟକୁ ଆଢ଼ କରି ଏଭଳି ଅପରାଧ କରିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ସମାଜ ପାଇଁ ବିପଜ୍ଜନକ। ଏପରି ଘଟଣାରେ କୌଣସି ପ୍ରକାରର ଅନୁକମ୍ପା ପ୍ରଦର୍ଶନ କରାଯାଇପାରିବ ନାହିଁ ବୋଲି ଅଦାଲତ ମତ ପ୍ରକାଶ କରିଛନ୍ତି।
ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ତାଙ୍କୁ ଅତିରିକ୍ତ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ। ମାମଲାରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ରଞ୍ଜନ କୁମାର ପାତ୍ର ପକ୍ଷ ସମର୍ଥନ କରିଥିଲେ।




