ଭୁବନେଶ୍ୱର: ଏସବିଆଇ (SBI)ର ପ୍ରାୟ ୬.୮୮ କୋଟି ଟଙ୍କାର ‘ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍’ ଜାଲିଆତି ମାମଲାରେ ମୁଖ୍ୟ ଦଲାଲ୍ ପ୍ରଦୀପ୍ତ କୁମାର ଲେଙ୍କାକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW)। ଗିରଫ ପ୍ରଦୀପ୍ତ କୁମାର ଲେଙ୍କାର ଘର କଟକରେ ଏବଂ ତାକୁ ରାଜଧାନୀ ଭୁବନେଶ୍ୱରରୁ ଗିରଫ କରାଯାଇଛି। ସ୍କାମ୍ ବଦଳରେ ସେ କମିଶନ ଭାବେ ୩.୨୩ ଲକ୍ଷ ଟଙ୍କା ସିଧାସଳଖ ନିଜ ଆକାଉଣ୍ଟକୁ ନେଇଥିଲା।
ମେ ୨୦୨୨ ରୁ ନଭେମ୍ବର ୨୦୨୩ ମଧ୍ୟରେ ଟାଟା ଷ୍ଟିଲ୍, ବେଦାନ୍ତ ଓ ଟିପିସିଓଡିଏଲ୍ ଭଳି ବଡ଼ କମ୍ପାନୀର ନକଲି ପେ-ସ୍ଲିପ୍ ଏବଂ ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ୨୮୨ଟି ନକଲି ଋଣ ପାସ୍ କରାଯାଇଥିଲା।ଏହି ମାମଲାରେ ଏସବିଆଇର ପଟିଆ, ଦମନା, ଫର୍ଚୁନ୍ ଟାୱାର ଓ ରେଳ ବିହାର ଶାଖାର ୪ ଜଣ କର୍ମଚାରୀ (୩ ମହିଳା କର୍ମଚାରୀ ବୈଶାଖୀ ସାହା, ଚାରୁବାଳା ଦଣ୍ଡସେନା, ସରିତା ପାଇକରାୟ ଏବଂ ସ୍ମୃତି ରଞ୍ଜନ ମହାନ୍ତି) ପୂର୍ବରୁ ଗିରଫ ହୋଇ ଜେଲ୍ରେ ଅଛନ୍ତି।
ଗତ ମେ ୫, ୨୦୨୬ ରେ ଏସବିଆଇ ଆଞ୍ଚଳିକ ପରିଚାଳକ ଶିବ ସୁନ୍ଦର ସାହୁଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଥିଲା। ବର୍ତ୍ତମାନ ପ୍ରଦୀପ୍ତର ମୋବାଇଲ୍ ଜବତ କରାଯାଇ ଅନ୍ୟ ଅଯୋଗ୍ୟ ଋଣଗ୍ରହିତା ଓ ବାକି ଟଙ୍କା ଉଦ୍ଧାର ପାଇଁ ତଦନ୍ତ ଜାରି ରହିଛି।




