କେନ୍ଦୁଝର: ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ସାରା କେନ୍ଦୁଝର ଜିଲ୍ଲା। କ୍ରମାଗତ ବର୍ଷା ଯୋଗୁଁ ବୈତରଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିଥିବା ବେଳେ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡ ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହୋଇପଡ଼ିଛି। ବୈତରଣୀ ନଦୀର ସୁ-ସୁ ଗର୍ଜନ ଏବଂ ପ୍ରଚଣ୍ଡ ସ୍ରୋତରେ କେନ୍ଦୁଝରର ଛାତି ଫାଟି ପଡ଼ୁଥିବା ବେଳେ ଏପରି ଭୟଙ୍କର ଦୃଶ୍ୟ ସ୍ଥାନୀୟ ଲୋକେ କେବେ ଦେଖି ନ ଥିବା କହିଛନ୍ତି।
କେନ୍ଦୁଝର ଜିଲ୍ଲା ପାଟଣା ନିକଟସ୍ଥ ବୈତରଣୀ କୂଳରେ ଥିବା ଭୀମକୁଣ୍ଡରୁ ଏକ ଶିହରଣକାରୀ ଓ ପ୍ରଳୟଙ୍କରୀ ଦୃଶ୍ୟ ସାମ୍ନାକୁ ଆସିଛି। ବନ୍ୟା ଜଳର ସ୍ତର ଏତେ ବୃଦ୍ଧି ପାଇଛି ଯେ, ସାଧାରଣ ଜଳସ୍ତରଠାରୁ ପ୍ରାୟ ୬୦ ଫୁଟ ଉପରେ ଥିବା ମହାବଳୀ ଭୀମଙ୍କ ବିଶାଳ ପ୍ରତିମୂର୍ତ୍ତିର ପାଦକୁ ବୈତରଣୀର ପାଣି ଛୁଇଁଛି। ସାରା ପର୍ଯ୍ୟଟନ କ୍ଷେତ୍ରଟି ଏବେ ପାଣି ଭିତରେ ବୁଡ଼ି ରହିଛି।
ନଦୀର ଭୟଙ୍କର ରୂପକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନଙ୍କୁ ଭୀମକୁଣ୍ଡ ଆଡ଼କୁ ନ ଯିବା ପାଇଁ ସତର୍କ କରାଯାଇଛି। କୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବନ୍ୟା ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।




