ବାଲିଅନ୍ତା ହତ୍ୟାକାଣ୍ଡରେ ନୂଆ ମୋଡ଼: ମବ୍ ଲିଞ୍ଚିଂ ନା ସୁଚିନ୍ତିତ ସ୍ପଟ୍ ମର୍ଡର? ସାମ୍ନାକୁ ଆସିଲା ଓମ୍-କୁନାଲ୍-ରଞ୍ଜିତଙ୍କ ଲିଙ୍କ୍
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଘଟିଥିବା ବର୍ବର ହତ୍ୟାକାଣ୍ଡ ମାମଲାରେ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ଏକ ସାଧାରଣ ଗୋଷ୍ଠୀ ଆକ୍ରମଣ (ମବ୍ ଲିଞ୍ଚିଂ) ଥିଲା ନା ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ବା ସୁଚିନ୍ତିତ ଯୋଜନା ରହିଥିଲା, ତାହାକୁ ନେଇ ଏବେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ତାଜା ରିପୋର୍ଟ ଅନୁଯାୟୀ, ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ସହ ସେହି ଗ୍ରୁପ୍ର ସମ୍ପୃକ୍ତି ଥିବା ଜଣାପଡ଼ିଛି, ଯେଉଁମାନଙ୍କୁ ଘଟଣାସ୍ଥଳକୁ ଫୋନ୍ କରି ଡକାଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଫୋନ୍ କଲ୍ ସୌମ୍ୟରଞ୍ଜନଙ୍କ ସହ ଥାଇ ଆହତ ହୋଇଥିବା ତାଙ୍କ ନିକଟତମ ସହଯୋଗୀ ଓମ୍ ପ୍ରକାଶ ରାଉତ କରିଥିଲେ।
ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ରକୁ ଜେରା କରିବା ସମୟରେ କ୍ରାଇମବ୍ରାଞ୍ଚ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ସୁରାଗ ଲାଗିଛି। ମିଳିଥିବା ସୂଚନା ଅନୁସାରେ, ରଞ୍ଜିତର ସମ୍ପର୍କ ଓମ୍ ପ୍ରକାଶ ଏବଂ କୁନାଲ୍ ନାମକ ଆଉ ଜଣେ ଯୁବକଙ୍କ ସହ ରହିଥିଲା। ବର୍ତ୍ତମାନ ଏହି ମାମଲାରେ କୁନାଲ୍ ପୋଲିସର ସ୍କାନରକୁ ଆସିଛି।
ତଦନ୍ତକାରୀ ଦଳରୁ ମିଳିଥିବା ସୂଚନା ମୁତାବକ, ଘଟଣା ଦିନ ଓମ୍ ପ୍ରକାଶ ନିଜର ସାହାଯ୍ୟ ପାଇଁ କୁନାଲ୍କୁ ଫୋନ୍ କରି ଘଟଣାସ୍ଥଳକୁ ଡକାଇଥିଲେ। କିନ୍ତୁ କୁନାଲ୍ ସେଠାକୁ ଏକା ଆସିନଥିଲା। ତା’ ସହିତ ସେହି ରଞ୍ଜିତ ପାତ୍ର ମଧ୍ୟ ଆସିଥିଲା, ଯିଏ ପରବର୍ତ୍ତୀ ସମୟରେ ସୌମ୍ୟରଞ୍ଜନଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଏହି ତଥ୍ୟ ପରିପ୍ରକାଶ ହେବା ପରେ କ୍ରାଇମବ୍ରାଞ୍ଚ ଏବେ ରଞ୍ଜିତ, କୁନାଲ୍ ଏବଂ ଓମ୍ ମଧ୍ୟରେ ଥିବା ପ୍ରକୃତ ସମ୍ପର୍କର ଚେର ଖୋଜିବାକୁ ଚେଷ୍ଟା କରୁଛି। ଏହି ସାରା ଘଟଣାଟି ସେହି ସମୟର ପରିସ୍ଥିତି ଯୋଗୁଁ ଉତ୍ତେଜନା ପ୍ରକାଶ ପାଇ ଘଟିଥିଲା ନା ଏହା ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଏକ ବ୍ଲୁ-ପ୍ରିଣ୍ଟ ବା ସୁଚିନ୍ତିତ ଆକ୍ରମଣ ଥିଲା, ତାହା ଉପରୁ ପରଦା ହଟାଇବା ପାଇଁ ଛାନଭିନ୍ ଜୋରଦାର ହୋଇଛି।
ତଦନ୍ତ ପ୍ରକ୍ରିୟାକୁ ଆହୁରି ତୀବ୍ର କରି କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଉଭୟ ଓମ୍ ପ୍ରକାଶ ଏବଂ କୁନାଲ୍କୁ କ୍ରମାଗତ ଭାବେ ମାରାଥନ୍ ଜେରା ଚଳାଇଛନ୍ତି। ଆଗାମୀ ଦିନରେ ଏହି ହତ୍ୟାକାଣ୍ଡ ପଛର ଅସଲ ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି।




