ବାଲେଶ୍ୱର: ଓଡ଼ିଶାର ବାଲେଶ୍ୱର ଜିଲ୍ଲା ନୀଳଗିରି ସହରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବୁଧବାର ନୀଳଗିରି ବାଲିଗୋହିରୀସ୍ଥିତ ଏକ ପେଟ୍ରୋଲ ପମ୍ପରେ ପୁରୋନା ତେଲ ଟାଙ୍କି କାଟିବା ସମୟରେ ହଠାତ୍ ବିସ୍ଫୋରଣ ଘଟି ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।
ମୃତ କର୍ମଚାରୀଜଣକ ରେମୁଣା ବ୍ଲକ୍ ବିମୁରିଆ ଗାଁର ବୀରେନ୍ଦ୍ର ସିଂହ ବୋଲି ଚିହ୍ନଟ କରାଯାଇଛି।
ସୂଚନା ଅନୁଯାୟୀ, ପେଟ୍ରୋଲ ପମ୍ପରେ ଥିବା ଏକ ପୁରୁଣା ପରିତ୍ୟକ୍ତ ଭୂତଳ ତେଲ ଟାଙ୍କିକୁ କାଟି ଅଲଗା କରିବା ପାଇଁ କୋଲକାତାରୁ ତିନି ଜଣ ଶ୍ରମିକ ଆସିଥିଲେ। କାଟିବା କାମ ଚାଲିଥିବା ସମୟରେ ହଠାତ୍ ଟାଙ୍କିରେ ନିଆଁ ଲାଗିଯାଇଥିଲା ଏବଂ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା।
ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ତେଲ ଟାଙ୍କିର ଭାରୀ ଢାଙ୍କୁଣୀଟି ଉଡ଼ିଯାଇ ପାଖରେ ଛିଡ଼ା ହୋଇଥିବା ପେଟ୍ରୋଲ ପମ୍ପ କର୍ମଚାରୀ ବୀରେନ୍ଦ୍ର ସିଂହଙ୍କ ଦେହରେ ବାଜିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ଏହି ବିପଜ୍ଜନକ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଏବଂ ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ପେଟ୍ରୋଲ ପମ୍ପ ପରିସରରେ ହଙ୍ଗାମା କରିବା ସହ ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି।
ଖବର ପାଇ ନୀଳଗିରି ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ପୋଲିସ ଏହି ମାମଲାରେ ପେଟ୍ରୋଲ ପମ୍ପ ମାଲିକ ଦୀପ୍ତି କାନ୍ତ ମହାପାତ୍ର, ମ୍ୟାନେଜର କମଳଲୋଚନ ନାୟକ ଏବଂ ଦୁଇ ଜଣ ଶ୍ରମିକଙ୍କୁ ପ୍ରାଥମିକ ପଚରାଉଚରା ପାଇଁ ଅଟକ ରଖିଛି। ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ଜାରି ରହିଛି।




