ଭୁବନେଶ୍ୱର: ବାଲିଅନ୍ତା ଥାନା ଅନ୍ତର୍ଗତ ବନମାଳୀପୁରରେ ଘଟିଥିବା ସମ୍ବେଦନଶୀଳ ମବ୍ ଲିଞ୍ଚିଂ ଘଟଣାରେ ପୋଲିସ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ବାଲିପାଟଣା ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି।
ଘଟଣା ସମୟରେ ଉପସ୍ଥିତ ଥିବା ଜଣେ ଏସଆଇ (SI) ଏବଂ ଜଣେ ଏଏସଆଇ (ASI)ଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି। ବାଲିପାଟଣା ଥାନା ଆଇଆଇସି ଅନିଲ ପରିଡ଼ାଙ୍କୁ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲା (UPD) ମୁଖ୍ୟାଳୟକୁ ବଦଳି କରାଯାଇଛି।
ଅନିଲ ପରିଡ଼ାଙ୍କ ସ୍ଥାନରେ ରଶ୍ମିତା ବେହେରାଙ୍କୁ ବାଲିପାଟଣା ଥାନାର ନୂଆ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ଦୁଇ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅପସାରଣ କରିବା ପାଇଁ ନୋଟିସ୍ ଜାରି ହୋଇଛି।
ସୂଚନାଯୋଗ୍ୟ ଯେ, ବାଲିଅନ୍ତା ଅଞ୍ଚଳରେ ଚୋରି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଉତ୍ତ୍ୟକ୍ତ ଲୋକେ ମରଣାନ୍ତକ ଆକ୍ରମଣ କରିଥିଲେ। ପୋଲିସ ଉପସ୍ଥିତିରେ ଏହି ହିଂସାକାଣ୍ଡ ଘଟିଥିବା ଏବଂ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ନେଇ ଗୁରୁତର ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ କମିଶନରେଟ୍ ପୋଲିସ ପକ୍ଷରୁ ଏହି କଡ଼ା ପଦକ୍ଷେପ ନିଆଯାଇଛି।




